ନୂଆଦିଲ୍ଲୀ- କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ । ସକାଳ ୯ ଟାରୁ ୧ଟା ପର୍ଯ୍ୟନ୍ତ ଲୋକସଭା ଅଧିବେଶନ ହେବାକୁ ଥିବା ବେଳେ ଅପରାହ୍ନ ୩ ଟାରୁ ୭ଟା ଯାଏ ରାଜ୍ୟସଭା ଅଧିବେଶନ ବସିବ । ଏହି ୧୮ ଦିନିଆ ଅଧିବେଶନ ଅକ୍ଟୋବର ୧ ତାରିଖ ଦିନ ଶେଷ ହେବ । ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବସିବା ସ୍ଥାନରେ ଫେସ ସିଲଡ ଲଗାଯାଇଛି । ଗୃହ କାର୍ଯ୍ୟରେ ପେପର ବଦଳରେ ଡିଜିଟାଲ କରିବାକୁ ଗୁରୁତ୍ୱ ଦିଆଯାଇଛି । ଭାରତ-ଚୀନ ସୀମା ବିବାଦ ଓ ଅର୍ଥନୀତି ଦୁରବସ୍ଥା ଓ ନୂଆ ଶିକ୍ଷା ନୀତି ଓ କରୋନା ପରିଚାଳନା ପ୍ରସଙ୍ଗ ଉଠିପାରେ । ଏଥିସହ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ଘଟଣାରେ ସରକାର ବିବୃତି ଜାରି କରିପାରନ୍ତି । ଏହି ସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିବାକୁ ଯୋଜନା କରିଛନ୍ତି ।