ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ପଦକ ପାଇ ସାରିଥିବା ବେଳେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ । କାରଣ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲ୍‌ରେ ଲଭଲିନା ତାଇପେଇର ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଏନ-ଚିନ୍‌ଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି । ମହିଳା ୱେଲରୱେଟ୍ ୬୯ କେଜି ବର୍ଗରେ ଲଭଲିନାଙ୍କୁ ଏହି ସଫଳତା ମିଳିଛି । ଆସାମର ଏହି ୨୩ ବର୍ଷୀୟା ବକ୍ସର କ୍ୱାର୍ଟର ଫାଇନାଲ୍‌ରେ ତାଇପେଇର ପ୍ରତିଯୋଗୀଙ୍କ ଉପରେ ଭାରି ପଡ଼ିଥିଲେ । ସେ ଚେନ୍ ନିଏନ୍‌-ଚିନ୍‌ଙ୍କୁ ଚାପରେ ରଖିଥିଲେ । ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଯୋଗୁ ଲଭଲିନା ଗୋଟିଏ ପଦକ ପାଇବା ନିଶ୍ଚିତ ହୋଇଯାଇଛି । କାରଣ ସେମି ଫାଇନାଲ୍‌ରେ ପରାଜିତ ହେଉଥିବା ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଏ । ତେଣୁ ମ୍ୟାରୀ କମ୍ ଓ ବିଜେନ୍ଦ୍ର ସିଂହଙ୍କ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ଲଭଲିନା ହେବେ ତୃତୀୟ ଭାରତୀୟ ବକ୍ସର । କ୍ୱାର୍ଟର ଫାଇନାଲ୍‌ରେ ଜିତିବା ପରେ ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଲଭଲିନା କହିଛନ୍ତି, ‘ବହୁତ ଭଲ ଅନୁଭବ କରୁଛି । ସେମି ଫାଇନାଲ୍‌ରେ ଏହାଠୁ ଆହୁରି ଭଲ କରିବାକୁ ନିଶ୍ଚିତ ପ୍ରୟାସ କରିବି । ମୁଁ ଭାରତ ପାଇଁ ଏକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଚାହୁଁଛି ।’
ମଙ୍ଗଳବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଲଭଲିନା ଜର୍ମାନୀର ଭେଟେରାନ୍ ବକ୍ସର୍ ନାଡିନ୍ ଆପେଜଙ୍କୁ ୩-୨ ପଏଣ୍ଟରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ସୂଚନାଯୋଗ୍ୟ, ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ମହିଳା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।

Leave A Reply

Your email address will not be published.

eight + 17 =