ଜୁଲାଇ ୩୧ ସୁଦ୍ଧା ସିବିଏସ୍‌ଇ ଦ୍ୱାଦଶ ରେଜାଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଆଜି ଏ ନେଇ ସିବିଏସ୍‌ଇ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହି ସୂଚନା ଦିଆଯାଇଛି । ସେହିପରି ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ମାର୍କକୁ ନେଇ ଦ୍ୱାଦଶ ପରୀକ୍ଷା ଫଳ ନିର୍ଦ୍ଧାରିତ କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱର ଖଣ୍ଡପୀଠରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ମୁଲାୟନ ନେଇ ବିଶେଷଜ୍ଞ କମିଟିର ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟରେ ୩୦:୩୦:୪୦ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିବା ଲାଗି ନିଷ୍ପତି ହୋଇଛି । ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦% ମାର୍କ, ଏକାଦଶର ୩୦% ଏବଂ ଦଶମର ଶ୍ରେଣୀର ୩୦% ମାର୍କକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ନିର୍ନୟ ହେବ ।
ସିବିଏସଇ ପକ୍ଷରୁ ଆହୁରି କୁହାଯାଇଛି ଯେ, ଶିକ୍ଷାର୍ଥୀମାନଙ୍କ ପୂର୍ବ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ । ଦଶମ ଶ୍ରେଣୀର ମୋଟ ୫ଟି ବିଷୟରୁ ଶ୍ରେଷ୍ଠ ୩ଟି ବିଷୟର ମାର୍କ ବିଚାରକୁ ନିଆଯିବ । ସେହିପରି ଏକାଦଶ ଶ୍ରେଣୀର ଅତିକମରେ ୫ଟି ବିଷୟର ଟର୍ମ ପରୀକ୍ଷା, ୟୁନିଟ ଟେଷ୍ଟ ଓ ମୋଟ ରେଜଲ୍ଟକୁ ବିଚାରକୁ ନିଆଯାଇ ହାରାହାରି ମାର୍କର ବିଚାର କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରି-ବୋର୍ଡ ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ ।
ପ୍ରାକ୍ଟିକାଲ୍ସ ୧୦୦ ମାର୍କ ରହିବ ଓ ସ୍କୁଲ ଦାଖଲ କରିଥିବା ରିପୋର୍ଟ ଅନୁସାରେ ପିଲାମାନଙ୍କ ମାର୍କ ଧାର୍ଯ୍ୟ କରାଯିବ ବୋଲି ସିବିଏସ୍‌ଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ।
ସିବିଏସ୍‌ଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି, ଯଦି କୌଣସି ଶିକ୍ଷାର୍ଥୀ ଏହି ଶ୍ରେଣୀର ମୂଲ୍ୟାୟନ ପରେ ପାସ୍ ହେବାକୁ ଯୋଗ୍ୟତା ହାସଲ କରିପାରିବେ ନାହିଁ ।
ସେହିପରି ଯେଉଁମାନେ ମୂଲ୍ୟାୟନରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ସିବିଏସ୍‌ଇ ଯେତେବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ କରିବ, ସେତେବେଳେ ଦେଇ ପାରିବେ ବୋଲି ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧ ତାରିଖରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ସମ୍ପର୍କରେ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସିଆଇଏସସିଇର ମଧ୍ୟ ନିଜ ମୂଲ୍ୟାୟନ ଫର୍ମାଟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛି । ବିଗତ ୬ ବର୍ଷ ପ୍ରଦର୍ଶନକୁ ଭିତ୍ତି କରି ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଆଇଏସ୍‌ସିଇ କହିଛି । ଏଥିସହ ୧୦, ୧୧ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବା ବେଳେ ପ୍ରାକ୍ଟିକାଲ୍ସ ଓ ପ୍ରଜେକ୍ଟଗୁଡ଼ିକୁ ବିଚାରକୁ ନିଆଯିବ । ଜୁଲାଇ ୩୦ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଆଇଏସ୍‌ସିଇ କହିଛି ।

Leave A Reply

Your email address will not be published.

1 × five =