ନିଷିଦ୍ଧ ହଳଦିଆ ଆର ଫର୍ମରେ ଚାଲିଛି ଅବାଧ ବାଲି ପରିବହନ

ଯାଜପୁର: ଯାଜପୁର ଜିଲ୍ଳାରେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ଜିଲ୍ଲା ପ୍ରଶାସନର କେତେକ ବରିଷ୍ଠ ଅଧିକାରୀମାନେ ନିଜ ଇଛା ମୁତାବକ ଆଇନ ଚଲାଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ବିଭାଗରେ ଘଟୁଥିବା ଅଭିଯୋଗ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଗୁରତର ନେଉନଥିବାର ଦେଖିବାକୁ ମିଳିଛି । ଏହିପରି ଏକ ଅଭିଯୋଗ ହେଉଛି ଯାଜପୁର ତହସିଲ ପ୍ରଶାସନ ବିଭାଗରେ । ରାଜ୍ୟ ସରକାର ଆଜକୁ ବର୍ଷେ ହେବ ସରକାରଙ୍କର ନିୟମ ଅନୁଯାୟୀ ନିଲାମ ନେଇଥିବା ବାଲି ଘାଟରୁ ବାଲି ପରିବହନ ପାଇଁ ଠିକାଦାରଙ୍କୁ ଯୋଗାଉଥିବା ହଳଦିଆ ଆରଫର୍ମକୁ ନିଷିଦ୍ଧ କରିଛନ୍ତି । ତାହା ପରିବର୍ତେ ରାଜ୍ୟସରକାର ଧଳା ଆର ଫର୍ମ ମାଧ୍ୟମରେ ବାଲି ପରିବହନ କରିବା ପାଇଁ ତହସିଲ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଯାଜପୁର ତହସିଲ ପ୍ରଶାସନକୁ ରାଜ୍ୟ ସରକାରଙ୍କ ଏହି ନିୟମକୁ ପବନ ଭଳିଆ ଉଡ଼ାଇ ଦେଇ ଅଘୋଷିତ ଆର ଫର୍ମରେ ଆଜି ପର୍ଯ୍ୟନ୍ତ ବାଲି ପରିବହନ କରାଯାଉଥିବାର ଦେଖିବାକୁ ମିଳିଛି । ଯାଜପୁର ତହସିଲ ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ୍ ସୀମା ଦେଇ ପ୍ରବାହିତ ହୋଇଥିବା ବୁଢ଼ା ଓ ଖରସ୍ରୋତା ଏବଂ ବୈତରଣୀ ନଦୀ ଓ ଯାଜପୁର ପୈାରାଂଚଳ ଦେଇ ବହି ଯାଇଥିବା ବୈତରଣୀ ନଦୀର ବିଭିନ୍ନ ଘାଟକୁ ଟେଣ୍ଡର ମାଧ୍ୟମରେ ନିଲାମ କରନ୍ତି । ୫ ବର୍ଷ ପାଇଁ ଏହି ବାଲି ଘାଟକୁ ଯାଜପୁର ତହସିଲ ପ୍ରଶାସନ ନିଲାମ ଦେଇଥିଲେ । ଚଳିତ ବର୍ଷ ବାଲି ଘାଟ ଗୁଡ଼ିକୁ ନିଲାମ କରା ନ ଯାଇ ବର୍ଷେ ଅବଧି ବଢ଼ା ଯାଇ ନେଇଥିବା ଠିକାଦାର ମାନଙ୍କୁ ପୁନଶ୍ଚ ଦାୟିତ୍ୱ ଦିଆଯାଇଥିଲା । ବାଲି ଘାଟ ଗୁଡ଼ିକ ନିଲାମ ଦିଆଯାଇଥିବା ଠିକାଦାର ମାନଙ୍କୁ ଯାଜପୁର ତହସିଲ ପ୍ରଶାସନ ପକ୍ଷରୁ ଆର ଫର୍ମ ଯୋଗାଇ ଦିଆଯାଇଥାଏ । ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଆର ଫର୍ମ ତହସିଲ ପ୍ରଶାସନକୁ ଆସିଥାଏ । ରାଜ୍ୟ ସରକାର ଯୋଗାଇ ଦେଉଥିବା ହଳଦିଆ ଆର ଫର୍ମକୁ ନିଷିଦ୍ଧ କରି ଧଳା ଆର ଫର୍ମ ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଧଳା ଆର ଫର୍ମକୁ ଯାଜପୁର ଜିଲ୍ଳାର ବିଭିନ୍ନ ତହସିଲ ପ୍ରଶାସନ ମାନି ନେଇ ଧଳା ଆର ଫର୍ମ ମାଧ୍ୟମରେ ବାଲି ପରିବହନ କରୁଥିବା ବେଳେ ଯାଜପୁର ତହସିଲ ପ୍ରଶାସନ ସରକାରଙ୍କ ଏହି ନିର୍ଦେଶନାମାକୁ ଅବମାନନା କରି ବର୍ତମାନ ସୁଦ୍ଧା ହଳଦିଆ ଆର ଫର୍ମରେ ବାଲି ପରବହନ କରିବା ପାଇଁ ଠିକାଦାର ମାନଙ୍କୁ ସୁଯୋଗ ଦେଇଛନ୍ତି । ହଳଦିଆ ଆର ଫର୍ମରେ ଆସୁଥିବା ରାଜସ୍ୱ ଅର୍ଥ ସରକାରଙ୍କ ତହବିଲକୁ ଯାଉନାହିଁ । ଏହି ହଳଦିଆ ଆର ଫର୍ମରେ ଆଦାୟ ହେଉଥିବା ରାଜସ୍ୱ ଅର୍ଥକୁ ଜିଲ୍ଳା ପ୍ରଶାସନର କେତେକ ବରିଷ୍ଠ ପଦାଧିକାରୀ, ତହସିଲ ପ୍ରଶାସନ ଓ ବାଲି ଘାଟ ନିଲାମଧାରୀଙ୍କ ମଧ୍ୟରେ ଚଳୁ ହେଉଥିବାର ଅଭିଯୋଗ ହେଉଛି । ଯଦ୍ୱାରା ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କର ରାଜସ୍ୱ ଯାଜପୁର ଜିଲ୍ଲା ପ୍ରଶାସନ ନିକଟରୁ ହରାଉଛନ୍ତି । ଏହି ନିଷିଦ୍ଧ ହଳଦିଆ ଆର ଫର୍ମରେ ତହସିଲ ପ୍ରଶାସନ କିମ୍ବା ଘାଟ ନିଲାମ ନେଇଥିବା ନିଲାମଧାରୀ କୈାଣସି ତାରିଖ ନ ପକାଇ ପରିବହନ କରୁଥିବା ଗାଡ଼ି ମାନଙ୍କୁ ଦେଇଥିବାର ଦେଖିବାକୁ ମିଳିଛି । ଏହି ବେଆଇନ ବାଲି ପରିବହନ ଓ ନିଷିଦ୍ଧ ହଳଦିଆ ଆର ଫର୍ମ ବିରୁଦ୍ଧରେ ଜନପ୍ରତିନିଧିମାନେ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ କର୍ଣ୍ଣପାତ କରୁନାହାଁନ୍ତି । ନିଷିଦ୍ଧ ହଳଦିଆ ଆର ଫର୍ମ ବିଷୟରେ ଯାଜପୁର ତହସିଲଦାରଙ୍କୁ ପଚାରିବାରୁ ସରକାର ହଳଦିଆ ଆର ଫର୍ମକୁ ନିଷିଦ୍ଧ କରିଛନ୍ତି । ମାତ୍ର ଗଛିତ ଥିବା ହଳଦିଆ ଆର ର୍ଫମ ବ୍ୟବହାର କରି ସାରିବା ପରେ ନୂତନ ଧଳା ଆର ଫର୍ମ ବ୍ୟବହାର ପାଇଁ ସରକାର କହିଥିବାରୁ ଆବଶ୍ୟକ ମୁତାବକ ଧଳା ଆର ଫର୍ମ ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କୁ ଲେଖାଯାଇଛି ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ସେ ଯାହା ହେଉନା କାହିଁକି ହଳଦିଆ ଆର ର୍ଫମକୁ ଯାଜପୁର ତହସିଲ ପ୍ରଶାସନ ନିଷିଦ୍ଧ କରିନଥିବାରୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉ ଥିବାର ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.

3 × 5 =