ମାଲକାନଗିରି : ମାଲକାନଗିରିରେ ମାଓ ବିରୋଧୀ ଅପରେସନ ରେ ମାଲକାନଗିରି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କ ସୂଚନା ଆଧାରରେ ପୋଲିସ ଏକ ବଡ଼ ଧରଣର ମାଓ ଡମ୍ପ ଠାବ କରିବାରେ ସକ୍ଷମ ହୋଇଛି। ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ଫରେଷ୍ଟ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସମେତ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜେରା ବେଳେ ମିଳିଥିବା ଗୁପ୍ତ ସୂଚନାକୁ ଭିତ୍ତି କରି ଡିଭିଏଫ୍ ବାହିନୀ ପକ୍ଷରୁ ପଡିଆ ଥାନା ଅଞ୍ଚଳର ସିଲାକୋଟ୍ ଏବଂ ପେରୁ ଆଇକେନ୍ଦା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ବଡ଼ ଡମ୍ପ ପୋଲିସ ହାତରେ ଲାଗିଛି। ଜବତ ହୋଇଥିବା ମାଓ ବିସ୍ପୋରକ ସାମଗ୍ରୀ ମଧ୍ୟରେ ରହିଛି ୩ଟି ଷ୍ଟେନ୍ କାର୍ବାଇନ ଗନ୍ ,ଗୋଟିଏ ଦେଶୀ ପ୍ରସ୍ତୁତ ପିସ୍ତଲ , ଗୋଟିଏ ଏସବିଏମଏଲ ଗନ୍୨୦ଟି ଇଉବିଜିଏଲ ଗ୍ରେନେଡ ସହିତ ରହିଛି ପାଖାପାଖି ୨୯ ପ୍ରକାରର ଅନ୍ୟାନ୍ୟ ମାଓ ସାମଗ୍ରୀ। କେବଳ ସେତିକି ନୁହେଁ, ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତିଆରି କିମ୍ବା ମରାମତି ପାଇଁ ବ୍ୟବହାର କରୁଥିବା ୱେଲଡିଂ ମେସିନ୍ ଏବଂ ଓଜନ ମାପିବା ମେସିନ୍ ଭଳି କାରଖାନା ସାମଗ୍ରୀ ମଧ୍ୟ ସୁରକ୍ଷା ବାହିନୀ ପକ୍ଷରୁ ଜବତ କରାଯାଇଛି। ତେବେ ଯଦିଓ ଜିଲ୍ଲାରେ ମାଓ ଗତିବିଧି ନାହିଁ କିନ୍ତୁ ମାଓବାଦୀ ମାନେ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ବିସ୍ପୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଖୋଜିବାରେ ପୋଲିସ୍ ର ମାଓ ବିରୋଧୀ ଅପରେସନ ଆଗକୁ ମଧ୍ୟ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ବିନୋଦ ପାଟିଲ ଏସ୍ ସୂଚନା ଦେଇଛନ୍ତି।