ମାଲକାନଗିରିରେ ବନ୍ୟା ଜନିତ ଜରୁରୀକାଳୀନ ସ୍ଥିତି; କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବନ୍ୟା ପାଣି ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସମଗ୍ର ସରକାରୀ କଳକୁ ହାଇଆଲର୍ଟରେ ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ ନିଜେ ପୋଟେରୁ ଓ କନ୍ୟାଶ୍ରମ ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ବିଭିନ୍ନ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତା ଓ ପୋଲର ଦୁଇ ପାର୍ଶ୍ୱରେ ଅନେକ ବସ୍ ଏବଂ ଅନ୍ୟାନ୍ୟ ଯାନବାହନ ଅଟକି ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ, ପୋଲ ପାର ହୋଇନପାରି ଅଟକି ରହିଥିବା ବସ୍ ଡ୍ରାଇଭର, କର୍ମଚାରୀ ଓ ଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏହା ସହିତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇ ସେଠାରେ ମଧ୍ୟ ରନ୍ଧା ଖାଦ୍ୟର ସୁବ୍ୟବସ୍ଥା କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ବନଖଣ୍ଡ ଅଧିକାରୀ ସାଇ କିରଣ ଡି.ଏନ. ଙ୍କ ସମେତ ସମସ୍ତ ଅଧିକାରୀ ଅତ୍ୟଧିକ ବର୍ଷା ପ୍ଳାବିତ ଅଞ୍ଚଳରେ ଉପସ୍ଥିତ ରହି ସ୍ଥିତି ତଦାରଖ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। କୌଣସି ବି ଜରୁରୀକାଳୀନ ସ୍ଥିତିର ମୁକାବିଲା ଓ ସହାୟତା କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ ଆକ୍ସନ ଫୋର୍ସ ଏବଂ ସ୍ଥାନୀୟ ପୋଲିସ ବାହିନୀକୁ ମୁତୟନ କରାଯାଇ ପ୍ରଶାସନିକ ସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖାଯାଇଛି।

Leave A Reply

Your email address will not be published.

two + 2 =