ଯୋଡା: କରୋନା ମହାମାରୀରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତ ତଥା ରାଜ୍ୟ ଓଡିଶା ସମ୍ପୂର୍ଣ୍ଣ ଆକ୍ରାନ୍ତ ହୋଇଥିବା ବେଳେ କରୋନା ଆକ୍ରାନ୍ତରେ ଭୟଭୀତ ହୋଇ ଅତ୍ୟନ୍ତ ଦୟନୀୟ,ଦୁସ୍ଥ ସ୍ଥିତିରେ ଆଖିରୁ ଲୁହ ଗଡାଇ ଦିନ କାଟୁଛନ୍ତି ଲୋକେ । ରୋଗ ସଂକ୍ରମଣରେ ଜୀବନ ଚାଲିଯିବାର ଭୟ ଏବଂ ସରକାରୀ ନିୟମର ଲକଡାଉନ ଓ ସଟଡାଉନର କଟକଣା ଜୀବିକା ହରାଇ ଦୁଃଖରେ ଦିନ କାଟିବାକୁ ବାଧ୍ୟ କରିଛି ଜନସାଧାରଣଙ୍କୁ । କରୋନା ଖାଲି ଜୀବନ ନେଉନି ନେଉଛି ଜିବୀକା ଏବଂ ପରିବାର ପ୍ରତିପୋଷଣ ନିମନ୍ତେ ରହିଥିବା ଆଶା । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ କରୋନା ଦ୍ୱାରା ଛୋଟ ଠାରୁ ବଡ ବ୍ୟବସାୟୀ,ଗାଡି ମାଲିକ,ଗାଡି ଉପରେ ନିର୍ଭର କରି ଚଳୁଥିବା କର୍ମଚାରୀ,ହୋଟେଲ,ତେଳଭାଜି ଦୋକାନ ଏପରିକି ଚା,ଗୁପଚୁପ ବିକାଳୀ ମଧ୍ୟ ବର୍ତି ପାରିନାହାଁନ୍ତି କରୋନା ମାଡରୁ । କେବଳ ସରକାରୀ କର୍ମଚାରୀ ମାନଙ୍କୁ ବାଦ ଦେଲେ ଅନ୍ୟମାନଙ୍କର ଆର୍ଥିକ ସ୍ଥିତି ଏବଂ ପରିବାରର ଦୟନୀୟ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟ । ଗରିବ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣ ମାନେ ଯାହା ସରକାରୀ ଅନୁଦାନ ପାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଥିବା ବେଳେ ତେଲ,ଲୁଣ,ସଉଦା କିଣିବାକୁ ସେମାନଙ୍କ ପାଇଁ ସାତସପନ । ଓଡିଶାର ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ଥିବା ଯୋଡା ଓ ବଡବିଲ ଅଞ୍ଚଳରେ ଦିନକୁ ଦିନ ସଙ୍ଗୀନ ହୋଇପଡୁଛି ସ୍ଥିତି । ପ୍ରାୟ ୨୫ ଦିନରୁ ଉଦ୍ଧ୍ୱର୍ ବଡବିଲ ସହରକୁ ସଟଡାଉନ ଘୋଷଣା,ସପ୍ତାହନ୍ତ ଶନିବାର ଓ ରବିବାର ଯୋଡା ସମେତ ସମଗ୍ର କେନ୍ଦୁଝର ଜିଲ୍ଲା ସଟଡାଉନ ଘୋଷଣା ଏବଂ ସରକାରୀ ଟାଇମ ଟେବୁଲରେ ଦୋକାନ ଖୋଲିବାର ନୀତିନିୟମ ଭିତରେ ପେଶି ହୋଇ ଅଣନିଶ୍ୱାସୀ ହୋଇ ଗଲେଣି ଯୋଡା ଓ ବଡବିଲ ଦୋକାନୀ ଏବଂ ଗ୍ରାହକ । କରୋନା ଭୟରେ ପ୍ରଭାବିତ ହୋଇ ଯେଉଁ ହାତଗଣତି କେତେଜଣ ଗ୍ରାହକ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ ମନସ୍ଥ କରୁଥିବା ବେଳେ ପୋଲିସର କଡା ଚେକିଂ ଏବଂ ଫାଇନ ଆଦାୟର ଭୟ ତାଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି । ନିଜ ଘର ପାଇଁ ନିତ୍ୟାନ୍ତ ଆବଶ୍ୟକ ସାମଗ୍ରୀଟିଏ ମଧ୍ୟ ଅର୍ଥାଭାବରୁ ଯୋଗାଡ କରିବା ଏକପ୍ରକାର ମୁସ୍କିଲ ହୋଇପଡିଛି । ରାଜସ୍ୱ ଆଦାୟ ନାାଁରେ ବାହାର ରାଜ୍ୟର ଗାଡି ଡ୍ରାଇଭର ମାନଙ୍କୁ ଖଣିଜ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଅବାଧ ପ୍ରବେଶର ଅନୁମତି ଯୋଡା,ବଡବିଲ ସମେତ କେନ୍ଦୁଝର ଜିଲ୍ଲା ପାଇଁ ସମସ୍ୟା ଏବଂ ଚିନ୍ତାର କାରଣ । ସିଧାସଳଖ ସେମାନଙ୍କ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇ ଜିଲ୍ଲାର ପଜିଟିଭ ସଂଖ୍ୟା ଦିନକୁ ଦିନ ବଢୁଥିବା ସନ୍ଦେହକୁବି ଏଡାଇ ଦିଆଯାଇନପାରେ । ମହାମାରୀ କରୋନା ଯୋଗୁଁ ଲୋକମାନଙ୍କର ରୋଜଗାର ଏକପ୍ରକାର ବନ୍ଦ ହୋଇଯାଇଛି । ଫଳରେ ଲୋକମାନଙ୍କର ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ ଭାବେ କଟୁଛି । ମହାମାରୀ କରୋନା ସତେ ଯେପରି ପ୍ରତ୍ୟେକ ସ୍ତରର ଲୋକଙ୍କ ମାନସିକ ସ୍ଥିତିକୁ ବିଗାଡି ଦେଇଛି ।