ଭୁବନେଶ୍ୱର: ପଞ୍ଜୁରୀ ଭିତରେ ମାଛ ଚାଷ କରିବାକୁ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରକୁ ବଛାଯାଇଛି । ଏହାର ଲକ୍ଷ୍ୟ ହେଉଛି, ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି କରିବା । ଏଥି ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପଞ୍ଜୁରୀଗୁଡ଼ିକ ଜଳଭଣ୍ଡାରରେ ମାଛ ଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର ଅଟେ । ସାଧାରଣତଃ ଏହା ଚାରି ଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ ଉପରି ଭାଗ ଖାଦ୍ୟ ପରିବେଷଣ ଓ ପଞ୍ଜୁରୀସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରଖାଯାଏ । ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡରକୁ ୫ଟି ଜୋନ୍ ଏବଂ ୧୦୦ଟି ସବ୍ଜୋନ୍ରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ଏହି ସ୍ଥିରୀକୃତ ସବ୍ କୋନ୍ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନିମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ ।

ପ୍ରତ୍ୟେକ ସବ୍ଜୋନ୍ରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ, ୪ ମିଟର ପ୍ରାସ୍ଥ, ୪ ମିଟର ଗଭୀରତା ବିଶିଷ୍ଟ ୨୪ଟି ଆୟତାଙ୍କର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ପ୍ରତି ଆୟତାକାର ପଞ୍ଜୁରୀରୁ ୩୦୦୦ କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ । ଏଥିରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ରିଫ୍ଚ୍ ଟିଲାପିଆ, ଭେକ୍ଟି, ଖୁରାଂଟ ଓ ବଟର୍ କ୍ୟାଚ୍ ଫିସ୍ (କଂଟିଆ) ଇତ୍ୟାଦି ପ୍ରଜାତିର ପ୍ରକାଶିତ ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୂହରେ ଜଳର ଗୁଣବତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ ରଖାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀ ମାନଙ୍କ ଠାରୁ ଦୀର୍ଘମିଆଦି ଲିକ୍ ନିମନ୍ତେ (ପ୍ରଥମେ ପାଂଚ ବର୍ଷ ଓ ପରେ ଅଧିକ ପାଂଚବର୍ଷ ବୃଦ୍ଧି ସହିତ) ‘ଏକ୍ସପ୍ରେସନ୍ ଅଫ୍ ଇଂଟ୍ରେଷ୍ଟ’ ମଗାଯାଇଛି । ଏ ସଂକ୍ରାନ୍ତରେ ସବିଶେଷ ତିଥ୍ୟ ବିଭାଗରେ ୱେବ୍ସାଇଟ୍ରେ ଉପଲବ୍ଧ କରାଯାଇଛି । ୨୦୧୮-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି । ରାଜ୍ୟ ସରକାର, ରାଜ୍ୟରେ ଅବସ୍ଥିିତ ବୃହତ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ନୀତି ପ୍ରଚଳନ ପୂର୍ବକ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋସôାହନ ଦେଉଛନ୍ତି । ବୃହତ ଓ ମଧ୍ୟମ ଜଳଭଣ୍ଡାରର ଜଳଉସôର ଏକ କ୍ଷୁଦ୍ର ଅଂଚଳକୁ (୧%) ଏଥି ପଇଁ ବିନିଯୋଗ କଲେ ରାଜ୍ୟର ମାଛର ଆବଶ୍ୟକତା ପୂରଣ ହେବା ସହିତ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିବ ।