ଯାଜପୁର: ତାଳଚେର ବାଇପାସ କେନାଲ ପାଣିରେ ଭାସୁଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ଯୁବକଙ୍କ ପିତା ତାଙ୍କ ପୁଅକୁ ଯୋଜନାବନ୍ଧ ଭାବେ ମାରି କେନାଲ ପାଣିରେ ପକାଇ ଦିଆଯାଇଥିବା ଅଭିଯୋଗ କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ପୁଲିସ ନିକଟରେ ଲିଖିତ ଦାବି କରିଥିବା ଜଣାଯାଇଛି । ଅଭିଯୋଗ ମୁତାବକ ଯାଜପୁର ଟାଉନ ଥାନା ତଥା ଦଶରଥପୁର ବ୍ଲକ୍ ରାହାସୋଇ ପଂଚାୟତ ଅଧିନ ରାହାସୋଇ ଗ୍ରାମର ସୁରେନ୍ଦ୍ର ସ୍ୱାଇଁଙ୍କ ପୁଅ ସର୍ବେସ୍ୱର ସ୍ୱାଇଁ (୨୮) ବିଗତ ୪ ବର୍ଷ ହେବ ଅନୁଗୁଳ ଜିଲ୍ଳା ତାଳଚେରରେ ରହି ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଚଳିତ ମାସ ୩ ତାରିଖରେ ତାଳଚେର ଅନ୍ତର୍ଗତ ହାଟତୋଟା ବାଇପାସ କେନାଲ ପାଣିରେ ତାଙ୍କ ମୃତ ଦେହ ଭାସୁଥିବା ତାଳଚେର ପୁଲିସ ଠାରୁ ଖବର ଜାଣି କିଛି ଗ୍ରାମବାସୀଙ୍କ ସମେତ ସର୍ବେଶ୍ୱରଙ୍କ ବାପା ସୁରେନ୍ଦ୍ର ଓ ମାଆ ମନୋରମା ସ୍ୱାଇଁ ତାଳଚେରରେ ପହଂଚି ପୁଅକୁ ଚିହ୍ନଟ କରିଥିଲେ । ସର୍ବେଶ୍ୱର ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଗତ ରଜ ପର୍ବରେ ଗାଁକୁ ଆସିଥିଲେ । ପରିବାରର ଆର୍ଥିକ ସ୍ଥିତି ସବଳ ନଥିବାରୁ କରୋନା କଟକଣାକୁ ଖାତିର ନ କରି ରୋଜଗାର ଉଦେଶ୍ୟରେ ପୁଣି ତାଳଚେର ଫେରି ଯାଇଥିଲେ । ଅଗଷ୍ଟ ୧୫ ତାରିଖ ପୂର୍ବରୁ ଘରକୁ ଫେରିବି ବୋଲି ସର୍ବେଶ୍ୱର ଘରେ କହିଥିବା ବେଳେ ସେ ଆତ୍ମହତ୍ୟା କରି ନାହିଁ ବରଂ ତାକୁ କେହି ଦୁବୁର୍ତ ଯୋଜନାବନ୍ଧ ଭାବେ ହତ୍ୟା କରି କେନାଲ ପାଣିରେ ଫିଙ୍ଗି ଦେଇଥିବା ସନେ୍ଦହ କରି ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି କରିଛନ୍ତି । ସୂଚନା ଥାଉକି ଉକ୍ତ ଘଟଣାରେ ତାଳଚେର ପୁଲିସ ସର୍ବେଶ୍ୱରଙ୍କ ମୃତ ଦେହ କେନାଲରୁ ଉଦ୍ଧାର କରିବା ସହ ମୃତକଙ୍କ ପ୍ୟାଂଟଣ୍ଟ ପକେଟରୁ ଭୋଟର ପରିଚୟ ପତ୍ର, ପ୍ୟାନ କାଡର଼୍, ଏଟିଏମ କାଡର଼୍ ଓ ମୋବାଇଲ ଫୋନ ଜବଦ କରି ଶବ ବ୍ୟବଛେଦ କରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।