ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏପରି ସ୍ଥଳେ ଅନେକ ଅଂଚଳରେ ଲକ୍ଡାଉନ୍ ସତ୍ୱେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି । ତେଣୁ ସେି ବ୍ୟବସାୟୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପରାମର୍ଶ ଦିଆଯାଇଛି । ଗ୍ରୋସରି ଏବଂ ପରିବା ଦୋକାନୀଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ କରୋନା ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେମାନଙ୍କଠାରୁ ଅନ୍ୟ ଗ୍ରାହକଙ୍କୁ କରୋନା ବ୍ୟାପିପାରେ । ତେଣୁ ସେମାନଙ୍କର କରୋନା ପରୀକ୍ଷା କରାଗଲେ ସଂକ୍ରମଣ ଉପରେ ରୋକ ଲଗାଯାଇପାରିବ । ସହିତ ମୃତ୍ୟୁ ହାରକୁ କମ୍ କରାଯାଇ ପାରିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଚିବ ରାଜେଶ ଭୂଷଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଏହି ପରାମର୍ଶ ଦେଇଛନ୍ତି । ଏହା ସହିତ ସେ ଆହୁରି କହିଛନ୍ତି ଯେ, ଆମ୍ବୁଲାନ୍ସ ଗୁଡ଼ିକରେ ଅମ୍ଳଜାନ ବ୍ୟବସ୍ଥା କରାଯାଉ, ଯାହା ଫଳରେ ଗୁରୁତର କରୋନା ରୋଗୀମାନଙ୍କ ପାଇଁ ଅମ୍ଳଜାନ ଅଭାବ ହେବ ନାହିଁ । ଯେଉଁ ସ୍ଥାନରେ ଆମ୍ବୁଲାନ୍ସ ଉପଲବ୍ଧ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି କରୋନା ଯୋଗୁ ହେଉଥିବା ମୃତ୍ୟୁର ଅଡିଟ୍ ପ୍ରତି ସପ୍ତାହରେ କରାଯାଉ ବୋଲି ଚିଠିରେ ପରାମର୍ଶ ଦିଆଯାଇଛି ।