ବାଲୁଗାଁ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ଆଲୋକ ରଞ୍ଜନ ହୋତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ତାଙ୍କ ବ୍ୟାଙ୍କ ପାସ୍ବୁକ୍ ଓ ବ୍ୟାଙ୍କ ଲକର୍କୁ ଜବତ କରାଯାଇଥିବା ଜଣାପଡ଼ିଛି । ଜଣା ପଡିଛି ଯେ ଭିଜିଲାନ୍ସ ବିଭାଗ ପକ୍ଷରୁ ୫ଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।
ସୋମବାର ସକାଳ ସାଢେ଼ ୬ଟା ବେଳେ ଗୋଟିଏ ବୋଲେରୋ ଗାଡ଼ିରେ ୭ ଜଣ ଭିଜିଲାନ୍ସ କର୍ମଚାରୀ ବାଲୁଗାଁରେ ପହଂଚି ଗୋପୀନଥପୁର ଓ ଚିଲିକା କୂଳରେ ଥିବା ଅଫିସ ଓ ସରକାରୀ ବାସଗୃହରେ ଖାନତଲାସ କରିଥିଲେ । ସେହିପରି ଶ୍ରୀ ହୋତାଙ୍କ ଭୁବନେଶ୍ୱରରେ ଥିବା ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଡୁମ୍ଡୁମାସ୍ଥିତ ଘର, ଜଗତସିଂହପୁର ବିରିଡ଼ ଚାଷୀଖଣ୍ଡ ଗାଁରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି ।
ଏତଦ୍ବ୍ୟତୀତ ବାଲିପାଟଣା ଥାନା ପଦ୍ମପୁର ଗାଁରେ ଥିବା ଶ୍ୱଶୁଘ ଘରେ ମଧ୍ୟ ଚଢ଼ଉ କରାଯାଇଛି । ଶ୍ରୀ ହୋତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ବାବଦକୁ ୧ କୋଟି ୩୨ ହଜାର ୫୫୧ ଟଙ୍କା ଠାବ ହୋଇଛି । ସେଥିରୁ ଚନ୍ଦ୍ରଶେଖପୁର ସ୍ଥିତ ତିନି ମହଲା କୋଠା, ଯାହାର ମୂଲ୍ୟ ୫୦ ଲକ୍ଷ ୭୩ ହଜାର ୮୮୪ ଟଙ୍କା ଡୁମୁଡୁମାସ୍ଥିତ ଏକ ମହଲା କୋଠା ୭ ଲକ୍ଷ ୫୦ ହଜାର, ଜମିଜମା ମୂଲ୍ୟ ୯୧ ହଜାର ୮୧୯, ଚାରିଚକିଆ ଯାନ ୬ ଲକ୍ଷ ୫୨ ହଜାର ୫୭୦, ବିଭିନ୍ନ ବ୍ୟାଙ୍କରେ ଥିବା ୫ ଳକ୍ଷ ୫୪ ହଜାର ୨୧୦, ବୀମା ୧୧ ଲକ୍ଷ ୭୮ ହଜାର ୪୯୯, ମୁ୍ୟଚୁଆଇ ଫଣ୍ଡ ୪ ଲକ୍ଷ ୧୩ ହଜାର, ୨ଟି ବାଇକ୍ ୯୫ ହଜାର, ଅଳଙ୍କାର ୧ ଏକ୍ଷ ୭ ହଜାର ୩ ଶହ ଟଙ୍କା ଓ ଘରୋଇ ସାମଗ୍ରୀ ୯ ଲକ୍ଷ ୩୫ ହଜାର ୭୬୯ ଟଙ୍କା ଭିଜିଲାନ୍ସ ଠାବ କରିଛି । ଗତକାଲି ବିପୁଳ ଆୟବର୍ହିଭୁତ ସମ୍ପତି ଜବଦ କରିବା ପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଡିଏଫ୍ଓ ଶ୍ରୀ ହୋତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ । ଏ ସମ୍ପର୍କରେ ମଧ୍ୟ ତଦନ୍ତକାରି ଭିଜିଲାନ୍ସ ଟିମ୍ ଏହାର ରିପୋର୍ଟ ପ୍ରସ୍ତୁତ କରିଥିବା ଜଣା ପଡିଛି । ଏ ସମ୍ପର୍କରେ ସେମାନେ ଜଙ୍ଗଲ ବିଭାଗକୁ ଅବଗତ କରାଇଥିଲା ବେଳେ ବିଭାଗ ପକ୍ଷରୁ ଖୁବ୍ ଶିଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।