ଆଇଆରବି ଯବାନଙ୍କ ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ  : ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ପାଣିରେ ବୁଡି ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ବୌଦ୍ଧ ଅଗ୍ନିଶମ ବିଭାଗ,ଆଇଆରବି ଯବାନମାନେ ମୋଟରବୋଟ ସାହାଯ୍ୟରେ ଓ ସ୍ଥାନୀୟ କିଛି ମାଛମରା ଡଙ୍ଗା ସାହାଯ୍ୟରେ ମହାନଦୀରେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା (୩୦) ଓ ତାଙ୍କ ଘର କନ୍ଧମାଳ ଜିଲାରେ ବୋଲି ଜଣାପଡିଛି। ଏହି ଘଟଣା ଆଇଆରବିର ଯବାନ ଓ ଅଧିକାରୀମାନଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ବର୍ଷାଦିନରେ ମହାନଦୀରେ ଜଳସ୍ତର ଅଧିକ ସହିତ ସ୍ରୋତ ପ୍ରଖର ଥିବାବେଳେ ତାଲିମ ପାଇଁ କିଏ ଅନୁମତି ପ୍ରଦାନ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଆକଟା ପୋଲିସ ପକ୍ଷରୁ ଶବକୁ ଜବତ କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.

one + 7 =