ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ, ହାରପିସ୍ ଭୟରେ କୁନି ହାତୀ ଅଲଗା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟ ପକ୍ଷରେ ମାରାତ୍ମକ ହାରପିସ୍ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ କର୍ତୃପକ୍ଷ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲେ । ତେଣୁ କୁନି ହାତୀ ‘ମାମା’କୁ ବଡ଼ ମାଈ ହାତୀଙ୍କଠାରୁ ଅଲଗା ରଖା ଯାଇଥିଲା । ସାଧାରଣତଃ ୧୦ ବର୍ଷରୁ କମ୍ ବୟସର ହାତୀଙ୍କୁ ହାରପିସ୍ ଭୂତାଣୁ ଆକ୍ରାନ୍ତ କରିଥାଏ । ବୋଲି ବିଶେଷଜ୍ଞମାନେ ମତ ଦିଆନ୍ତି । ଗତବର୍ଷ ଠିକ୍ ଏହି କାରଣରୁ ନନ୍ଦନକାନନରେ ୪ଟି ଛୁଆ ହାତୀ ଜୁଲି, ଚନ୍ଦନ, କମଳା ଓ ଗୌରୀର ଅକାଳ ମୃତୁ୍ୟ ଘଟିଥିଲା । ଗତବର୍ଷ ଅଗଷ୍ଟ ୨୬ ତାରିଖରେ ଜୁଲି, ସେପ୍ଟେମ୍ବର ୧୪ରେ ଚନ୍ଦନ, ଏହାର ୫ ଦିନ ପରେ ସେପ୍ଟେମ୍ବର ୧୯ରେ କମଳା ଓ ତା’ ପର ଦିନ ୨୦ ତାରିଖରେ ଗୌରୀର ମୃତ୍ୟୁ ହୋଇଥିଲା । ସମସ୍ତେ ହାରପିସ୍ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଥିଲେ । ଏଥର କର୍ତୃପକ୍ଷଙ୍କୁ ସେହି ଡର ଘାରିଛି । ତେଣୁ ହସ୍ତୀ ଦିବସ ପାଳନ ଅବସରରେ ନନ୍ଦନକାନନର ପାଖକୁ ଆସିଲେ, ହାରପିସ୍ ଭୂତାଣୁ ସଂକ୍ରମଣ ଭୟ ଥିବାରୁ ତାକୁ ଅଲାଗା ରଖାଯାଇଥିଲା । ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସବରେ ମୁଖ୍ୟ ଅତିଥିଭାବେ ଶିବ ପ୍ରସାଦ ପରିଡ଼ା ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ କୁନି ହାତୀ ‘ମାମା’ ରହୁଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟକୁ ଯାଇ ସେଠାରେ ତାକୁ ଆଖୁ, ସେଓ, ତରଭୁଜ, କଦଳୀ ଓ ନଡ଼ିଆ ଖୁଆଇଥିଲେ । ପରେ ଅନ୍ୟ ୩ଟି ବୟସ୍କା ମାଈ ହାତୀ ପ୍ରେମା, ବାସନ୍ତୀ ଓ ହୀରାକୁ ଫଳ ଖୁଆଇଥିଲେ । ସେଠାରେ ମାହୁନ୍ତ, ହାତୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ କରାଯାଇଥିବା ଅନଲାଇନ୍ ଚିତ୍ରଙ୍କନ ପ୍ରତିଯୋଗିତାର ଫଳ ପ୍ରକାଶ କରାଯାଇଥିଲା । କରୋନା କଟକଣା ପାଇଁ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବାରୁ ଏଥର ଏହି ଦିବସ ପାଳନରେ ପର୍ଯ୍ୟଟକ, ସ୍କୁଲ ପିଲା ଓ ନନ୍ଦନକାନ କର୍ମଚାରୀଙ୍କ ଭିଡ଼ ନଥିଲା । ମେଣ୍ଢାଶାଳ ଚନ୍ଦକା ହସ୍ତୀ ଅଭୟାରଣ୍ୟର ଗୋଡ଼ିବାରୀ ଓ କୁମାରଖୁଂଟିରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଛି । ଏଥର କିନ୍ତୁ ନନ୍ଦ ଓ ଯଶୋଦାକୁ ମୁଖ୍ୟ ଫାଟକ ନିକଟକୁ ଅଣାଯାଇନଥିଲା । ସେହିଭଳି କରୋନା କଟକଣା ପାଇଁ ଏଥର ସ୍କୁଲ ପିଲାଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ସକାଳୁ ନନ୍ଦ ଓ ଯଶୋଦାର ମାହୁନ୍ତ ରାଜକିଶୋର ବେହେରା ଓ ବାସୁ ମାତାରି ସେମାନଙ୍କୁ ଗାଧୋଇ ଦେଇଥିଲେ । କୁମାରଖୁଂଟିରେ ଥିବା ଶଙ୍କରକୁ ତା’ର ମାହୁନ୍ତ ସୀତାରାମ ସାମରାଇ, ନରେନ୍ଦ୍ର କୁଲ୍ଡଡି ଓ ରବି ସାନ୍ ଗାଧୋଇ ଦେଇଥିଲେ । ଚନ୍ଦକା ଡିଭିଜନ ଅଧିକାରୀ କେଦାର ନାଥ ସ୍ୱାଇଁ, ଏସିଏଫ୍ ହିମାଂଶୁ ଶେଖର ମହାନ୍ତି, ହଳଦିଆ ଏସିଏଫ ରମାକାନ୍ତ ନାୟକ ଓ ଫରେଷ୍ଟର ରାଜକୁମାରୀ ସେଠୀ, ପରିକ୍ଷୀତ ଭୂୟାଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହାତୀ ମାନଙ୍କୁ ନଡ଼ିଆ, ଆଖୁ, କଦଳୀ ଭଳି ଖାଦ୍ୟ ଦିଆଯାଇଥିଲା ।

Leave A Reply

Your email address will not be published.

2 + fifteen =