ଗୋଟିଏ ପରିବାରରୁ ୫ ଫନି ହିତାଧିକାରୀ

ବାଲିପାଟଣା : ଫନି ସହାୟତା ବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବାଲିପାଟଣା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଦଳ ପକ୍ଷରୁ ବାଲିପାଟଣା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆର୍ଆଇଙ୍କ ପାତରଅନ୍ତର ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ବହୁ ଯୋଗ୍ୟ ହିତାଧିକାରୀ ଫନି ସହାୟତାକୁ ବଂଚିତ ହୋଇଥିବାବେଳେ ଆର୍ଆଇ ଗୋଟିଏ ପରିବାରର ୫ ଜଣଙ୍କୁ ଫନି ସହାୟତା ଯୋଗାଇ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ୭ ଦିନ କଂଟ ଦେଇଛି । ଅଭିଯୋଗ ଅନୁସାରେ ଗତ ବର୍ଷ ମେ ୩ ତାରିଖରେ ସାମୁଦ୍ରକ ବାତ୍ୟା ଫନି ବାଲିପାଟଣା ବ୍ଲକରେ ତାଣ୍ଡବ ରଚିଥିଲା । ଘରଠାରୁ ଆରମ୍ଭ କରି ନଡ଼ିଆ ଗଛ, ପାନବରଜ ଓ ଚାଷ ପୁରା ଉଜୁଡ଼ି ଯାଇଥିଲା । ପରେ ସରକାର ସହାୟତା ଯୋଗାଇ ଦେଲେ । କିନ୍ତୁ ବିଶ୍ୱନାଥପୁର ଆର୍ଆଇ ମନ ଇଚ୍ଛା ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ସରକାରୀ ସହାୟତା ଟେକିଦେଲେ । ଦଲାଲଙ୍କ ମାଧ୍ୟମରେ ହଜାର ହଜାର ଟଙ୍କା ଲାଂଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଭଙ୍ଗା ଟଙ୍କା ଦେଲେ । ବିଶ୍ୱନାଥପୁର ରାଜସ୍ୱ ସର୍କଲ ପମ୍ପାଲୋ ପଂଚାୟତର ଦରଡ଼ା ଗାଁରେ ଗୋଟିଏ ପରିବାରରୁ ୫ ଜଣ ବ୍ୟକ୍ତିଙ୍କୁ ୯୫ ହଜାର ଲେଖାଏ ସମ୍ପୂର୍ଣ୍ଣ ଘର ଭଙ୍ଗା ମିଳିଥିବା ଜଣାପଡିଲା ଏ ନେଇ ପ୍ରଥମେ ପ୍ରଶାସନିକସ୍ତରରେ ଅଭିଯୋଗ ହେଲା । କିନ୍ତୁ ଦୁର୍ନୀତିଖୋର୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ । ତେଣୁ ଏହାକୁ ବିରୋଧ କରି ଜୟଦେବ ଭାରତୀୟ ଜନତା ପାର୍ଟି ତରଫରୁ ତହସିଲ ସମୁଖରେ ଗଣଧାରଣା ଓ ବିକ୍ଷୋଭ କରାଯାଇଥିଲା । ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ କିରାଣୀ ରାଧାକାନ୍ତ ଦାଶଙ୍କୁ ଦାବିପତ୍ର ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା କୃଷକ ମୋର୍ଚା ସଭାପତି ତାପସ ଜେନା, ଶିବ ମଲ୍ଲିକ, ବିଜୟ ମହାରଣା, ସନ୍ତୋଷ କୁଣ୍ଡୁ, ଦିଲ୍ଲୀପ ସ୍ୱାଇଁ, ମାଗୁଣି ସେଠୀ, ନୃସିଂହ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ବନ୍ଧରେ ତହସିଲଦାର ସୁନିତା ଜେନାଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

Leave A Reply

Your email address will not be published.

1 + 13 =