ସର୍ବଗିଳା ନହୁଅ

ଗଣମାଧ୍ୟମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଏକ ଖବର ପ୍ରକାଶ ପାଇବା ସହ ଏହି ଚୋରା ଚାଲାଣକାରୀଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ଧରା ପଡିଥିଲେ । ଏଥିନେଇ ବନଜନ୍ତୁ ବିଭାଗ ପକ୍ଷରୁ ତଦନ୍ତ ଯାରି ରହିଥିଲା । ଆଠଗଡ ସମେତ କଟକ ଜିଲ୍ଳାର ସିମାନ୍ତ ବର୍ତି ଜିଲ୍ଳାରେ ଏଥିନେଇ ଏକ ସୁସଂଗଠିତ ରାକେଟ୍ କାର୍ଯ୍ୟକରୁଥିବା ଭଳି ମନେହୁଏ । ଏଥିନେଇ ଅତିତରେ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ଏଥିାନଇ ବ୍ୟାପକ ତଦନ୍ତ କରିବା ପରେ ଯାହା କହିଛନ୍ତି, ତାହା ସାଂଘାତିକ ଓ ସତ୍ୟର କିୟଦଂଶ ବୋଲି କୁହାଯାଇପାରେ । ତାଙ୍କ କହିବା ଅନୁଯାୟୀ ଏ ରାଜ୍ୟରୁ ବଜ୍ରକାପ୍ତା ଲୋପ କରିବାକୁ ମାଫିଆ ମାନେ ଏକ ପ୍ରକାର ପ୍ରତିଜ୍ଞାବଦ୍ଧ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ ଆଠଗଡ ଡିଏଫଓଙ୍କ ସୂଚନାନୁଯାୟୀ ଏବେ ବି ୧୦ରୁ ଅଧିକ ବଜ୍ରକାପ୍ତାଙ୍କୁ ମାଫିଆମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଏହା ହେଉଛି କାହିଁକି? ତନାଘନାରୁ ଜଣାପଡିଛି, କେବଳ ଆଠଗଡରୁ ୨୦ ବଜ୍ରକାପ୍ତା ଚୋରା ଚାଲାଣ ହୋଇସାରିଲାଣି । ଏଥିନେଇ ଇତି ମଧ୍ୟରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟ ତଦନ୍ତ ବେଳେ ଜଣା ପଡିଛି ଯେ ବଜ୍ରକାପ୍ତା ମାଂସ କେଜି ପିଛା ୨୨ହଜାର ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି କରାଯାଉଥିଲା ବେଳେ ଏହାର କାତି କିଲୋଗ୍ରାମ ପିଛା ୨ଲକ୍ଷ ୧୬ ହଜାର ଟଙ୍କା ପାଖାପାଖି ବିକ୍ରୀ କରାଯାଏ । କାତିର ଦାମ୍ ଏତେ ଅଧିକ କାହିଁକି? ତାର କାରଣ ହେଲା ଏଥିରୁ ଗୁଳି ନିରୋଧକ ପୋଷାକ ତିଆରି କରାଯାଏ ଯେଉଁଥିରେ ଗୁଳି ଭେଦ କରିପାରିନଥାଏ । ଗୁଳି ବାଜିବା ସ୍ଥାନକୁ ଓଦା କନାରେ ପୋଛି ଦେଲେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥାଏ । ଏପରି ବହୁ ଦାମ୍ରେ ଚୋରା ଚାଲାଣ କରାଯାଉଥିବା ବଜ୍ରକାପ୍ତା ମାଂସ ଓ କାତି ବିଦେଶୀ ବେପାରୀଙ୍କ ନିକଟରେ ପହଂଚିବା ପୁର୍ବରୁ ମାଫିଆ ମାନେ ପ୍ରଥମେ ବଜ୍ରକାପ୍ତାର ଭିଡିଓଗ୍ରାଫି କରି ବିଦେଶୀ ବେପାରୀଙ୍କ ନିକଟକୁ ପଠାଇଥାନ୍ତି । ତାହା ଦେଖି ବିଦେଶି ବେପାରି କିଣିବାକୁ ମନସ୍ଥ କଲେ ଓଡ଼ିଶାର ରାକେଟ ପକ୍ଷରୁ ବଜ୍ରକାପ୍ତା ଗୁଡିକୁ ପ୍ରଥମେ କୋଲକତା ପଠାଯାଏ । ବ୍ରହ୍ମପୁରରୁ ବାରିପଦା ପର୍ଯ୍ୟନ୍ତ ଏହାର ଚେର ପରିବ୍ୟାପ୍ତ ବୋଲି କୁହାଯାଉଛି । ଏପରି କି ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ୯୦ଟି ସ୍ଥାନରୁ ବନବିଭାଗ ବିପୁଳ ଚୋରା ବନଜାତ ଦ୍ରବ୍ୟ, ଛାଲ, ଦାନ୍ତ, କାତି ଓ ମାଂସ ଇତ୍ୟାଦି ଜବତ କରିଥିଲା ବେଳେ ତନ୍ମଧ୍ୟରୁ କେବଳ ୮୩ଟି ସ୍ଥାନରୁ ବଜ୍ରକାପ୍ତା କାତି ଜବତ କରାଯାଇଥିବା କଥା ଏକ ବେସରକାରୀ ସ୍ୱେଛାସେବୀ ସଂସ୍ଥା ପ୍ରଦତ ତଥ୍ୟରୁ ଜଣାପଡିଛି । ଯଦି ଏହି ତଥ୍ୟ ସତ୍ୟ ହୋଇଥାଏ ତେବେ ସାଂଘାତିକ ବୋଲି କୁହାଯାଇପାରେ । ମଣିଷ ସର୍ବଗିଳା ହେବାରୁ ଏରାଜ୍ୟରେ ବାଘ ଓ ହାତୀ ସଂଖ୍ୟା କ୍ରମାଗତ ଭାବେ କମୁଥିଲା ବେଳେ ବଜ୍ରକାପ୍ତା ମଧ୍ୟ ଆଉ ଦେଖିବାକୁ ମିଳୁନାହାନ୍ତି । ରାଜ୍ୟସରକାର ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ କଠୋର ପଦକ୍ଷେପ ନେବା ଆବଶ୍ୟକ । ନଚେତ ୨୦୪୦ ଶେଷ ବେଳକୁ ଏ ରାଜ୍ୟରେ ବଜ୍ରକାପ୍ତା ଲୋପ ପାଇଯିବେ ।

Leave A Reply

Your email address will not be published.

twelve + 12 =