ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ

ଭୁବନେଶ୍ୱର: ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ଆର୍.ଏସ୍.ଏସ୍. ଦ୍ୱାରା ପରିଚାଳିତ କେନ୍ଦ୍ରର ବିଜେପି ସରକାର, ମହାମାରୀର ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତେ ଭାରତୀୟ ସମ୍ବିଧାନର ମୂଳ ଚରିତ୍ରକୁ ନଷ୍ଟ କରିବାକୁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ଏହା ସହିତ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରି ଉଗ୍ର ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି । ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ଆଜି ଏହି ଆକ୍ରମଣର ସମ୍ମୁଖୀନ ହେଉଛି । ସମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପାର୍ଲାମେଂଟ, ସି.ବି.ଆଇ, ଇଡି ଭଳି ପ୍ରତ୍ୟେକଟି ସଂସ୍ଥାର ନିଜସ୍ୱ ସ୍ୱାଧୀନ ଭୂମିକାକୁ ନୁ୍ୟନ କରିବା ପାଇଁ ଅହରହ ଉଦ୍ୟମ ଚାଲିଛି । ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଆଦି ତୀବ୍ର ଆକ୍ରମଣର ସମ୍ମୁଖୀନ ହେଉଛି । ସରକାର ଓ ସରକାରୀ ନୀତି ବିରୋଧି ମତାମତ ପ୍ରକାଶନକୁ ନ୍ତରାଷ୍ଟ୍ର ବିରୋଧି’ ଆଖ୍ୟା ଦେଇ ଦୃଢ ଭାବରେ ଦମନ କରାଯାଉଛି । ଭିନ୍ନ ମତପୋଷଣ କରୁଥିବା ବ୍ୟକ୍ତିବିଶେଷ, ବୁଦ୍ଧିଜୀବି, ସାମାଜିକ କର୍ମୀମାନଙ୍କୁ ୟୁ.ଏ.ପି.ଏ ଓ ରାଷ୍ଟ୍ରଦ୍ରୋହ ଆଇନ ଭଳି ଜଘନ୍ୟ ଆଇନ ବଳରେ ଗିରଫ କରାଯାଉଛି । ଭାରତର ସମ୍ବିଧାନିକ ବ୍ୟବସ୍ଥାର ମୌଳିକତା ହେଉଛି ସଂଘୀୟ ଚରିତ୍ର । ଏହାକୁ ଅଣଦେଖା କରି କେନ୍ଦ୍ର ସରକାରଙ୍କ ହାତରେ ସମସ୍ତ ଅଧିକାର ଓ କ୍ଷମତା ସବୁକୁ କେନ୍ଦ୍ରୀଭୁତ କରାଯାଉଛି । ଏହି ପୃଷ୍ଠଭୂମୀରେ, ଦେଶର କଷ୍ଟାର୍ଜିତ ସ୍ୱାଧୀନତାକୁ ଦୃଢୀଭୂତ କରିବା ସଙ୍ଗେ ସଙ୍ଗେ ସମ୍ବିଧାନ ଓ ଜନଗଣଙ୍କ ସ୍ୱାର୍ଥରେ ସାମ୍ବିଧାନିକ ଅଧିକାର ସମୂହର ସୁରକ୍ଷା ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଜରୁରୀ ଆବଶ୍ୟକତା ରହିଛି । ତେଣୁ, ଆସନ୍ତା ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଦିନ ଦେଶର ସ୍ୱାଧିନତା, ସାର୍ବଭୌମତ୍ୱ ଓ ସାମ୍ପ୍ରଦୟିକ ସଦ୍ଭାବକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଭାରତବର୍ଷର ସମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ଗଣ ଶପଥ ନେବାକୁ ରାଜ୍ୟର ଚାରୋଟି ପ୍ରମୁଖ ବାମପନ୍ଥୀ ଦଳ ସି.ପି.ଆଇ, ସି.ପି.ଆଇ (ଏମ୍), ସି.ପି.ଆଇ ଏମ୍-ଏଲ୍ (ଲିବରେସନ) ଓ ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକ, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ମିଳିତ ପ୍ରେସ୍ ବିବୃତି ମାଧ୍ୟମରେ ସିପିଆଇର ରାଜ୍ୟ ସମ୍ପାଦକ ଆଶୀଷ କାନୁନ୍ଗୋ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ ଏମ୍-ଏଲ୍ (ଲିବରେସନ)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠୀର ମହାପାତ୍ର ଏବଂ ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଓଡ଼ିଶାର ଗଣତନ୍ତ୍ରପ୍ରେମୀ ଜନଗଣଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.

18 + six =