ବିଗତ ୬ମାସ ଧରି କରୋନା ମହାମାରି ସାରା ବିଶ୍ୱକୁ କବଳିତ କରିଥିଲା ବେଳେ କୋଟି କୋଟି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବା ସହିତ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା କରିବା ଅନାବଶ୍ୟକ ଯେ, ଭାରତରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହ୍ୱାନ୍ଙ୍କ ମୃତ୍ୟୁ ଘଟିଥିଲା ବେଳେ ଆହୁରି ଅନେକ୍ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସାଧାରଣ ଲୋକଙ୍କ ଭିତରେ କରୋନା ଏପରି ବ୍ୟାପୁଛି ଯେ, ଏହାର ଆକଳନ କରିବା ର୍ଦୁରୁହ ବ୍ୟାପାର ହୋଇ ପଡିଛି । ଅଦ୍ୟାବଧି କୌଣସି ଟିକା ବାହାରି ପାରିନଥିଲା ବେଳେ ଋଷ ଟିକା ବାହାର କରି ସାରିଥିବା ଦାବୀ କରୁଛି । ତେବେ ସେ ଯାହା ହେଉନାଁ କାହିଁକି, କରୋନା ମହାମାରୀ ବିଶ୍ୱ ଅର୍ଥନୀତିକୁ ସଜୋର ଆଘାତ ଦେଇଛି । ଭାରତ ଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ କୋଟି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ପୁଣି ଚାଲି ଆସିବେ ବୋଲି ଅର୍ଥନୀତିଜ୍ଞ ମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଏପରିକି ସାଧାରଣ ଲୋକ କାମଧନ୍ଦା ବନ୍ଦ ହୋଇଯିବାରୁ ବିନା ରୋଜଗାରରେ ଏବେ ଦୁଇଓଳି ଦୁଇମୁଠା ପେଟପୁରା ଖାଇବା ମୁସକିଲ ହୋଇ ପଡିଛି । ଏହାକୁ ଅନୁଭବ କରି ଆମ ଦେଶର ଅତିତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଥିବା ରଘୁରାମ ରାଜନ୍ କହିଛନ୍ତି ଦାରିଦ୍ର୍ୟକୁ କମାଇବାକୁ ହେଲେ ପ୍ରଥମେ ଯେଉଁ ମାନଙ୍କ ରୋଜଗାର ବନ୍ଦ ହୋଇ ଯାଇଛି, ସେମାନଙ୍କୁ ଖାଇବା ଲାଗି ସିଧାସଳଖ ଖାଦ୍ୟ ସାମଗ୍ରୀ ସାହାର୍ଯ୍ୟ କରିବା ଅନୁଚିତ୍ । ବରଂ ଏକାଥରେ ଏହି ଖାଦ୍ୟ ସାମଗ୍ରୀ ଯାହା ମାସେ ବା ଦୁଇ ମାସ କିମ୍ବା ତିନି ମାସ ପାଇଁ ଦିଆଯିବାକୁ ଯଦି ନିଷ୍ପତି ନିଆଯାଉଥାଏ, ତେବେ ତାହା ନକରି ବରଂ ଏହି ତିନି ମାସର ଖାଦ୍ୟ ସାମଗ୍ରୀ ବାବଦ ଅର୍ଥକୁ ସିଧାସଳଖ ଗରିବଙ୍କ ହାତକୁ ଦେବା ଉଚିତ୍ । ତେବେ ସେ ଏହି ଅର୍ଥର ସଦୁପଯୋଗ କରି ବା ଛୋଟ୍କୁଟିଆ ବ୍ୟବସାୟରେ ସ୍ୱଳ୍ପ ଅର୍ଥ ଖଟାଇ ନିଜକୁ ପୁନର୍ବାର ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇନେବା ଅସମ୍ଭବ ନୁହେଁ । ତାହା ହୋଇପାରିଲେ ଆମ ଦେଶର ଅର୍ଥନୀତି କରୋନା ପାଇଁ ଯଦି ଦୁର୍ବଳ ହୁଏ ତେବେ ମଧ୍ୟ ଟିଷ୍ଟି ରହିପାରିବ । ସେହିପରି ବିରୋଧି କଂଗ୍ରେସ ଦଳର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱର ଏକ ବିରାଟ ଅର୍ଥନୀତିଜ୍ଞ ରୂପେ ଜଣାଶୁଣା ଡଃ ମନମୋହନ ସିଂ ମଧ୍ୟ ରଘୁରାମ ରାଜନ୍ଙ୍କ କଥାକୁ ଦୋହରାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଅର୍ଥନୈତିକ ଦୂରାବସ୍ଥା ମଧ୍ୟରେ ଚାକିରି ଛାଡି ଓ ପ୍ରବାସରୁ ଫେରି ନିଜ ଗ୍ରାମ ବା ସହରରେ ରହୁଥିବା ବ୍ୟକ୍ତିମାନଙ୍କୁ ନଗଦ ଅର୍ଥରାଶି ମିଳିଲେ ସେମାନଙ୍କ ମଧ୍ୟରୁ ନିଶ୍ଚିତ ଭାବେ ୭୫ପ୍ରତିଶତରୁ ୮୦ ପ୍ରତିଶତ ବ୍ୟକ୍ତି ନିଜର ଦୈନିକ ଆୟକୁ ପୁଣି ସୁନିଶ୍ଚିତ କରାଇବାରେ ସମର୍ଥ ହୋଇପାରିବେ । ତେବେ ଆମର କହିବାର କଥା ହେଲା ଯେ, ୨୦୨୦ ଆର୍ଥିର୍କ ବର୍ଷରେ ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ତଥା ସରକାରୀ ସ୍ତରରେ ଦୈନିକ ରୋଜଗାର ନହୋଇପାରିଲେ ଭାରତର ଅର୍ଥନୀତି ବଳିଷ୍ଠ ହେବା ଅସମ୍ଭବ । ମହାମାରୀ ପାଇଁ ସମସ୍ତେ ସଜାଗ ରହିବା ଜରୁରୀ । ସେପରି ହୋଇପାରିଲେ କରୋନା ବିପଦ ଆଦୌ ମଣିଷ ଉପରକୁ ଆସି ପାରିବ ନାହିଁ ।