ମୋ ସାଇକେଲ୍ ଯୋଜନା ଫେଲ୍!

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଭେଟି ଦେବା ଓ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ସହର କରିବା ଉଦ୍ଦେଶ୍ୟରେ ନଭେମ୍ବର, ୨୦୧୮ରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ‘ମୋ ସାଇକେଲ’ ସେବା ଆରମ୍ଭ ହୋଇଥିଲା । ପ୍ରଥମରୁ କେବେ ବି ଉତ୍ସାହଜନକ ସଫଳଳତା ପାଇ ନଥିବା ଏହି ଯୋଜନା ଦେଢ଼ବର୍ଷ ପରେ ଚିତ୍ପଟାଙ୍ଗ ମାରି ପଡ଼ିଛି । ନା ଲୋକ ସାଇକେଲ୍ ଚଲାଉଛନ୍ତି ନା ରାସ୍ତା କଡ଼ରେ ମୋ ସାଇକେଲ୍ ଥିବା ପୂର୍ବଭଳି ଦେଖିବାକୁ ମିଳୁଛି । ଏପରିକି ଯେଉଁ ସଂସ୍ଥାକୁ ନଜରରେ ରଖି ରାଜଧାନୀରେ ମୋ ସାଇକେଲ୍ ସେବା ଆରମ୍ଭ ହୋଇଥିଲା, ସେ ସଂସ୍ଥା ଏବେ ସାଇକେଲ୍ ନେଇ ଛୁ’ । ବାକି ଦୁଇଟି ସଂସ୍ଥାର କାଁ ଭାଁ ସାଇକେଲ୍ ରାସ୍ତାରେ ଥିବା ଦେଖିବାକୁ ମିଳୁଛି । ମୋ ସାଇକେଲ୍ ଯୋଜନା ଏବେ ଏକରକମ ଫେଲ୍ ମାରି ଯାଇଛି । ଭୁବନେଶ୍ୱର ମୋ ସାଇକେଲ୍ ସେବା ଆରମ୍ଭ କରିବା ପୂର୍ବରୁ ଟପୋଗ୍ରାଫି ସର୍ଭେ ହୋଇଥିଲା କି ନାହିଁ? ଭୁବନେଶ୍ୱରରେ ପାଣିପାଗ ଯାହା ସେଥିରେ ଖରାଦିନେ ସାଇକେଲ୍ ଚଲାଇବାକୁ ଲୋକ ପସନ୍ଦ କରିବେ କି ନାହିଁ, ସାଇକେଲ୍ କେଉଁଠି ରଖିଲେ ଓ କିପରି ପ୍ରଚାର କଲେ, ଏହାକୁ ଅଧିକ ଲୋକ ଚଲାଇବେ, ସେନେଇ ସର୍ଭେ ହୋଇଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠିଲାଣି । ରଜଧାନୀବାସୀଙ୍କୁ କ୍ରୁଟ୍ ମାଗଣାରେ ସାଇକେଲ୍ ଚଲାଇବାଠାରୁ ଆରମ୍ଭ କରି ଘଂଟାକୁ ୫ ଟଙ୍କା, ଗୁରୁବାର ପ୍ରଥମ ଅଧଘଂଟା ମାଗଣା ଏହିଭଳି ବହୁ ମନଲୋଭା ଅଫର୍ ଦେଇଛି । କିନ୍ତୁ କିଛି କାମ କଲାନି । ଲୋକ ସାଇକେଲ୍ ଚଲାଇବା ଦୂର କଥା ଏବେ ଲୋକ ସାଇକେଲ୍ ପାଖକୁ ଆସୁନାହାନ୍ତି । ଏପରିକି ସାଇକେଲ ଷ୍ଟାଣ୍ଡରେ ସାଇକେଲ୍ ଦେଖିବାକୁ ମିଳୁନି । ରାଜଧାନୀରେ ଲୋକ ସାଇକେଲ ଚଲାଉ ନାହାନ୍ତି ବୋଲି ହେକ୍ସି ସଂସ୍ଥା ହଜାରେ ସାଇକେଲ୍ ନେଇ ପଳାଇଲାଣି । ଏହି ସଂସ୍ଥା ପ୍ରାୟ ୪ ମାସ ହେଲା ରାଜଧାନୀରେ ସାଇକେଲ୍ ସେବା ବନ୍ଦ କରିଦେଇଛି । ହିରୋ ଗ୍ରୁପ୍ର ହେକ୍ସି ସାଇକେଳ୍ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ସାଇକେଲ୍ ସେବା ଯୋଗାଉଥିଲା । ଚାଇନା ସଂସ୍ଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ କର୍ତୃପକ୍ଷଙ୍କୁ ଶେଷ ମୁହୂର୍ତରେ ଧୋକ୍କା ଦେବା ପରେ କର୍ତୃପକ୍ଷ ହେକ୍ସି ସଂସ୍ଥାକୁ ଭରସା କରି ଭୁବନେଶ୍ୱରରେ ମୋ ସାଇକେଲ୍ ସେବା ଆରମ୍ଭ କରିଥିଲେ । ରାଜଧାନୀରେ ୨ ହଜାର ସାଇକେଲ୍ ଗଡ଼ୁଥିବା ବେଳେ ଏଥିରେ ହେକ୍ସିର ହଜାରେ ସାଇକେଲ୍ ୟୁଲୁର ୫୦୦ ସାଇକେଲ୍, ୟୋନୋର ୫୦୦ ସାଇକେଲ୍ ଥିଲା । ଏବେ ୟୁଲୁ ଓ ୟୋନୋ ନାଁକୁ ସାଇକେଲ୍ ସେବା ଯୋଗାଉଥିବା ବେଳେ ହେକ୍ସି କତୃିପକ୍ଷ ସାଇକେଲ୍ ନେଇ ଡିପୋରେ ରଖି ଦେଇଛନ୍ତି । ଏହାସହ ସବୁ କର୍ମଚାରୀଙ୍କୁ ସଂସ୍ଥା ଫେରାଇ ନେଇଛି । କ୍ରୁଟ କର୍ତୃପକ୍ଷ ହେକ୍ସିକୁ ସାଇକେଲ୍ ଚଲାଇବାକୁ କହୁଥିଲେ ହେଁ ଏହି ସଂସ୍ଥା ଧରାଛୁଆଁ ଦେଉନି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହେକ୍ସି ଗତ ଦେଢ଼ ବର୍ଷରେ ବହୁତ କ୍ଷତି ସହିଥିବାରୁ ଭୁବନେଶ୍ୱରରେ ସେବା ବନ୍ଦ କରିବାକୁ ଆପାତତଃ ନିଷ୍ପତି ନେଇଛି । ତେଣୁ ସେବା ବନ୍ଦ କରିଦେଇଛି । ଅପରପକ୍ଷେ କ୍ରୁଟ୍ କର୍ତୃପକ୍ଷ କହିଛନ୍ତି ଯେ ୟୁଲୁର ୫୦୦ ଓ ୟୋନୋର ୫୦୦ ସାଇକେଲ୍ ଭୁବନେଶ୍ୱରରେ ଗଡୁଛି । ୨୫ଟି ସ୍ଥାନରେ ସାଇକେଲ୍ ରଖାଯାଉଛି । ଦିନକୁ ପ୍ରାୟ ୩୦୦ ଜଣ ସାଇକେଲ୍ ଚଲାଉଛନ୍ତି । ହେକ୍ସି କରୋନା ପାଇଁ ସବୁ କର୍ମଚାରୀଙ୍କୁ ନେଇଯାଥିବାରୁ ଏବଂ ସାଇକେଲ୍ଗୁଡ଼ିକୁ ଡିପୋକୁ ନେଇଯାଇଥିବାରୁ ଏବେ ଏହି ସଂସ୍ଥାର ସାଇକେଲ୍ ଗଡ଼ୁନି । କରୋନା ଯୋଗୁଁ ଲୋକ ସାଇକେଲ୍ ଚଲାଇବାକୁ ଅମଙ୍ଗ ହେଉଛନ୍ତି । ଆଗକୁ ଅଧିକ ସାଇକେଲ୍ ଚଲାଇବା ପାଇଁ ଯୋଜନା ଅଛି । ଖୁବ୍ଶୀଘ୍ର ୫୦୦ ନୂଆ ସାଇକେଲ୍ ଆସିବ । ହେଲେ ସବୁ କରୋନା ପ୍ରଭାବ ଉପରେ ନିର୍ଭର କରୁଛି । କ୍ରୁଟ୍ କର୍ତୃପକ୍ଷ ୟୁଲୁର ୫୦୦ ସାଇକେଲ୍ ଚାଲୁଥିବା କହୁଥିଲେ ହେଁ ଘାଟିକିଆସ୍ଥିତ ଡିପୋରେ ଏବେ ଶତାଧିକ ସାଇକେଲ୍ ଅବ୍ୟବସ୍ଥିତ ହୋଇପଡ଼ିଛି । କେଉଁ ସାଇକେଲ୍ର ସିଟ୍ ଉପୁଡ଼ି ଯାଇଛି ତ କାହାର ମଡ଼ଗାର୍ଡ ଭାଙ୍ଗି ଯାଇଛି । ଅଧିକାଂଶ ସାଇକେଲ୍ ଆଉ ଗଡ଼ିବା ଅବସ୍ଥାରେ ନାହିଁ । ଏନେଇ କ୍ରୁଟ୍ କର୍ତୃପକ୍ଷଙ୍କୁ ପଚାରିବାରୁ କହିଛନ୍ତି ଯେ ସାଇକେଲ୍ଗୁଡ଼ିକ ବିଶୋଧନ ହେବାକୁ ଓ ମରାମତି ହେବାକୁ ଡିପୋକୁ ଯାଇଛି । ସେଠାରେ ମରାମତି ହୋଇଆସିବ ।

Leave A Reply

Your email address will not be published.

16 + 4 =