ସିଫାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାର ଭର୍ଚୁଆଲ ଆଲୋଚନାଚକ୍ର

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ଏନ୍.ଏଫ୍.ଡି.ବି.)ର ମିଳିତ ଉଦ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ମଧୁର ଜଳ କୃଷିର ଉନ୍ନତି ପାଇଁ ରଣକୌଶଳ ଶୀର୍ଷକ ଏକ ଭର୍ଚୁଆଲ ଆଲୋଚନାଚକ୍ର ଆରମ୍ଭ ହୋଇଛି । ଏହି ଆଲୋଚନାଚକ୍ରରେ ଦେଶର ବିଭିନ୍ନ ରାଜ୍ୟର ମତ୍ସ୍ୟ ବିଭାଗ, ବେସରକାରୀ ପ୍ରତିଭାଗୀ, କୃଷିବିଜ୍ଞାନ କେନ୍ଦ୍ର, ଉନ୍ନୟନ ଏଜେନ୍ସି ଗୁଡିକ ଭାଗନେଇ ମଧୁର ଜଳ କୃଷି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରଟି ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି ।
ପ୍ରଥମ ପର୍ଯ୍ୟାୟର ପ୍ରାରମ୍ଭରେ ସିଫାର ନିର୍ଦେଶକ ଡ. ସରୋଜ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରି ଆଲୋଚନାଚକ୍ରର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ସଚିବ ଡ଼.ରାଜୀବ ରଂଜନ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି କହିଲେ ଯେ ବର୍ତମାନ ଭାରତରେ ୧୩୭ ଲକ୍ଷଟନ୍ରୁ ଅଧିକ ମାଛ ଉତ୍ପାଦନ ହେଉଥିବାବେଳେ ସରକାର ୨୦୨୫-୨୬ ସୁଦ୍ଧା ମାଛ ଉତ୍ପାଦନକୁ ୨୨୦ ଲକ୍ଷ ଟନ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ବର୍ଦ୍ଧିତ ଉତ୍ପାଦନରେ ପହଂଚିବାକୁ ହେଲେ ଆମ ଦେଶର ବର୍ତମାନର ଉତ୍ପାଦନ ହାରକୁ ହେକ୍ଟରପ୍ରତି ୩.୩ ଟନ୍ରୁୂ ୫.୦ ଟନ୍ କରିବାକୁ ହେବ । ତେବେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଆଇସିଏଆର୍-ସିଫାକୁ ଏକ ପ୍ରମୁଖ ଭୂମିକା ତୁଲାଇବାକୁ ପଡ଼ିବ ବୋଲି ସର୍ବସମ୍ମତିରେ ପ୍ରକାଶ ପାଇଥିଲା । ମତ୍ସ୍ୟ ଉତ୍ପାଦନ ଯୋଜନାର ପ୍ରମୁଖ କୌଶଳ ଗୁଡ଼ିକ ମଧ୍ୟରେ ପୋଖତା ମାଛପାଳନ, ଜାଆଁଳରଗୁଣବତା, ଉତ୍ପାଦକ କୃଷକ ସଂଗଠନର ଭୂମିକା, ଯୁବ ସମାଜର ଯୋଗଦାନ, ମତ୍ସ୍ୟ ପ୍ରଜାତିର ବିବିଧକରଣ, ସଶକ୍ତ ଆନୁଷ୍ଠାନିକ ଢାଂଚା, ଉଦ୍ୟୋଗୀମାନଙ୍କର ସମସ୍ୟାର ସମାଧାନ ଇତ୍ୟାଦି ବୈଠକରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନା ମାଧ୍ୟମରେ ଆମ ଦେଶର ଅନ୍ତଃର୍ଦେଶୀୟ ମତ୍ସ୍ୟ ଉତ୍ପାଦନର ବୃଦ୍ଧିକରିବା ପାଇଁ ଆମେ ସମସ୍ତେ ଅଙ୍ଗୀକାରବଦ୍ଧ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପ ମହାନିର୍ଦେଶକ ଡ଼.ଜେକେ ଜେନା ପ୍ରକାଶ କରିଥିଲେ । ରାଜ୍ୟ ଗୁଡ଼ିକରେ ମିଳୁଥିବା ମତ୍ସ୍ୟସମ୍ପଦ ସମ୍ବଳକୁ ନଜରରେ ରଖି ବିକାଶର ରଣକୌଶଳକୁ ସ୍ଥିର କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏନ୍ଏଫ୍ଡିବି ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼.ସି ସୁବର୍ଣ୍ଣା ସିଫାରେ ଥିବା ଜାତୀୟ ବ୍ରୀଡ଼ବ୍ୟାଙ୍କ ଓ ଉନ୍ନତ ମାନର ମାଛଜାଆଁଳର ଉତ୍ପାଦନ ତଥା ଯୋଗାଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ମତ୍ସ୍ୟବିଭାଗର ଯୁଗ୍ମସଚୀବ ସାଗର ମେହେରା ଏହି ଆଲୋଚନାଚକ୍ରରେ ଯୋଗଦେଇ ନିଜର ସୁଚିନ୍ତିତ ମତାମତମାନ ଉପସ୍ଥାପନା କରିଥିଲେ । ଆଲୋଚନାଚକ୍ରରେ ବିଭିନ୍ନ ରାଜ୍ୟର ମତ୍ସ୍ୟ ନିର୍ଦେଶକମାନେ ଯୋଗଦେଇ ସେମାନଙ୍କ ରାଜ୍ୟରେ ଜଳକୃଷିର ବିକାଶ ସଂପର୍କରେ ନିଜସ୍ୱ ପ୍ରସ୍ତାବମାନ ଉପସ୍ଥାପନା କରିଥିଲେ ।ଏହି ସମ୍ମିଳନୀରେ ୧୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ଏବଂ ସମ୍ମିଳନୀକୁ ସିଫାର ପ୍ରଧାନ ବୈଜ୍ଞାନିକ ଡ଼.ବି. ଆର୍. ପିଲାଇ ଓ ଡ଼ କେ ଡି ମହାପାତ ୍ରସଂଯୋଜନା କରିଥିଲେ ।

Leave A Reply

Your email address will not be published.

4 × one =