ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରର ମୁଖ୍ୟ ରାସ୍ତାରେ ଥିବା ସୁନାନଦୀ ପୋଲର ମରାମତିର ଏକ ମାସ ନପୁରୁଣୁ ପୋଲ ଉପରେ ଆଣଣ୍ଠୁଏ ପାଣିର ଲହଡି ମାରୁଥିବା ଦେଖାଯାଇଛି । ଲଗାଣ ବର୍ଷା ଜଳରେ ସୁନାନଦୀର ପାଣି ପୋଲ ଉପରକୁ ଉଠିନଥିଲେ ମଧ୍ୟ ପୋଲ ଉପରେ ଜଳନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି ପୋଲରେ ଯାତାୟାତ ଠପ ହୋଇଯାଇଛି । ସାମାନ୍ୟ ବର୍ଷାରେ ମଧ୍ୟ ଏହିଭଳି ଅବସ୍ଥା ହେଉଥିବା ସ୍ଥଳେ ଲଗାଣ ବର୍ଷାରେ ପୋଲ ଉପରେ ପାଣି ଜମିଯିବାରୁ ପାଦରେ ଚାଲିଯିବା ମଧ୍ୟ ଅସମ୍ଭବ ହୋଇଥିଲା । ଛୋଟବଡ ଯାନବାହାନ ପୋଲ ଅତିକ୍ରମ କରି ନପାରି ପୋଲର ଦୁଇ ପାଶ୍ୱର୍ରେ ଧାଡି ବାନ୍ଧି ଠିଆ ହେବା ସହ ବିପଦପୂର୍ଣ୍ଣ ଭାବେ ଗମନାଗମନ କରୁଛନ୍ତି ସ୍ଥାନୀୟ ଜନସାଧାରଣ । ପୋଲର ଏହି ଜରାଜୀର୍ଣ୍ଣ ଅବସ୍ଥା ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ରାସ୍ତା ଓ ପୋଲର ଦୂରାବସ୍ଥାକୁ ନେଇ ଗତ ଜୁନ ମାସରେ ଏକ ଧାରଣା ଦିଆଯାଇଥିଲା । ପ୍ରଶାସନର ପ୍ରତିଶ୍ରୁତି ମୁତାବିକ ପୋଲ ମରାମତି ମଧ୍ୟ କରାଯାଇଥିଲା । ହେଲେ ଏକମାସ ନପୁରୁଣୁ ପୋଲ ଉପରେ ଆଣ୍ଠୁଏ ପାଣି ଜମି ରହିବାରୁ ଏହାର ନିର୍ମାଣର ସ୍ୱଛତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ସରକାରଙ୍କର ପୁର୍ତବିଭାଗ ଅଧିନରେ ବହୁ ଦକ୍ଷ ଇଂଜିନିୟର ରହିଥିବା ବେଳେ ବିନା ଯୋଜନାରେ କିପରି ଏହି ପୋଲ ମରାମତି କାର୍ଯ୍ୟ କରାଗଲା, ଯାହାଫଳରେ କି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନସାଧାରଣ । ଏନେଇ ପୁର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପିସି ରଥଙ୍କୁ ଏସଂକ୍ରାନ୍ତରେ ପଚାରିବାରୁ ସେ କହିଥିଲେ ଯେ, ବିଭାଗୀୟ ଅଧିକାରୀଙ୍କୁ ଯାଞ୍ଚ ପାଇଁ ପଠାଯିବ ଏବଂ ପୋଲ ଉପରୁ ଜଳ ନିଷ୍କାସନ ପାଇଁ ଥିବା ଗର୍ତଗୁଡିକ ଜାମ୍ ହୋଇଯିବାରୁ ଏହା ହୋଇଥାଇପାରେ ବୋଲି ସେ କହିଥିଲେ ।