କଂଗ୍ରେସରେ ଯୋଡ-ବିଯୋଡ ଖେଳ!

କଂଗ୍ରେସ ଦଳ ସମ୍ପ୍ରତି ବିଭିନ୍ନ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦଳ ଗୁଡ଼ିକୁ ମୁକାବିଲା କରିବା ସହିତ ସବୁ ରାଜ୍ୟ ଏବଂ ସାମଗ୍ରିକ ଭାବେ ଦେଶରେ ନିଜ ଦଳକୁ ମଜଭୁତ କରିବା ଲକ୍ଷ୍ୟ ରଖିଥିଲେ ହେଁ, ବାସ୍ତବରେ କ’ଣ ଘଟୁଛି ତାହା ସମସ୍ତ ଦେଶବାସୀ ବେଶ୍ ଜାଣିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯିବା ଏବଂ ଦଳର ଅନ୍ୟତମ ଟାଣୁଆ ଯୁବ ନେତା ଜ୍ୟୋର୍ତିଆଦିତ୍ୟ ସିଂନ୍ଧିଆ ବିଜେପିକୁ ଯିବା ପରେ ରାଜସ୍ତାନରେ ଯେପରି ଦଳୀୟ ଅନ୍ତଃକନ୍ଦଳ ପଦାରେ ପଡିବା ସହିତ ଅଳ୍ପକେ ବିପଦ ଟଳିଗଲା ଓ କଂଗ୍ରେସର ଅନ୍ୟତମ ଯୁବ ନେତା ସଚିନ ପାଇଲଟ ଦଳ ଛାଡିବା ପ୍ରଶ୍ନ ଉଠୁନାହିଁ ବୋଲି ଘୋଷଣା କଲେ ତାହା ଦଳର ଅନ୍ତରୀଣ ଶୃଙ୍ଖଳାର ପ୍ରମାଣ ଦେଲା । ତେବେ ପୁଣି ଦଳୀୟ ବରିଷ୍ଠନେତା କପିଳ ସିବଲ ଓ ଗୁଲାମନବୀ ଆଜାଦଙ୍କ ସମେତ ୨୩ ଜଣ ନେତୃତ୍ୱ ପରିର୍ବତନ ପାଇଁ ଚିଠି ଦେଲେ ଓ ସେଥି ନେଇ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ୭ ଘଂଟା ଧରିଚାଲିଲା ଓ ୪୮ ସଦସ୍ୟ ଅଂଶଗ୍ରହଣ କଲେ ତାହା ଚଳିତ ବର୍ଷରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ମାନସ ମନ୍ଥନ ବୋଲି କୁହାଯାଇପାରେ । ଆଉ ୬ ମାସ ସୋନିଆ ସଭାପତି ରହିବେ ଓ ଏହା ପରେ ନୂତନ ସଭାପତି ଚୟନ ପାଇଁ ନିଷ୍ପତି ନିଆଯାଇଛି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ୧୯୪୭ ମସିହାରୁ ୨୦୨୦ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଦାୟୀତ୍ୱରେ ୧୮ ଜଣ ରହିଥିଲା ବେଳେ ଇନ୍ଦିରା ଗାନ୍ଧି ୧୯୫୯ରେ ପ୍ରଥମ ଥର ଓ ୧୯୭୮ରୁ ୧୯୮୪ ପର୍ଯ୍ୟନ୍ତ ଦ୍ୱିତୀୟ ଥର ଓ ସେହିପରି ସୋନିଆ ଗାନ୍ଧି ୧୯୯୮ରୁ ୨୦୧୭ ଓ ୨୦୧୯ରୁ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଥର ସଭାପତି ଥିବା ଓ ତାଙ୍କ ପରିବାରର ଏବଂ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୧ରୁ ୫୪ ପର୍ଯ୍ୟନ୍ତ ୩ ବର୍ଷ ଏବଂ ରାଜୀବ ଗାନ୍ଧି ୧୯୮୫ରୁ ୯୧ ଯାଏଁ ୬ ବର୍ଷ ଓ ରାହୁଲ ଗାନ୍ଧି ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ୨ ବର୍ଷ କଂଗ୍ରେସ ସଭାପତି ରହିଥିଲେ । ତେବେ ସ୍ୱାଧିନତା ପରଠାରୁ ଏ ପର୍ଯ୍ୟନ୍ତ ୭୪ବର୍ଷ ମଧ୍ୟରୁ ୩୫ ବର୍ଷ ପାଖାପାଖି ୧୩ ଜଣ ବାହାର ବ୍ୟକ୍ତି ସଭାପତି ରହିଥିଲା ବେଳେ ୩୯ ବର୍ଷ ଏହା ଗୋଟିଏ ପରିବାର ହାତରେ ରହିଆସିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଭୂମିକା ଆଗକୁ କ’ଣ ହେବ, ସେ ସମ୍ପର୍କରେ ଦଳ ଅଧିକ ମାନସ ମନ୍ଥନ କରିବା ପ୍ରୟୋଜନ ଥିଲା ଭଳି ମନେହୁଏ । ଯଦି ପରିବାରବାଦକୁ ବାଦ ଦେଇ ଦଳ ଆଗକୁ ଉଠିବା ସମ୍ଭାବନା ରହିଛି, ତେବେ ଦଳୀୟ ନେତୃତ୍ୱ ସେ’ପ୍ରକାର ଦୃଷ୍ଟିଭଙ୍ଗି ଆପଣାଇବା ଶ୍ରେୟସ୍ୱର ।

Leave A Reply

Your email address will not be published.

1 + 14 =