ଭୁବନେଶ୍ୱର: କରୋନା ମହାମାରୀ ଦ୍ୱାରା ମୋବାଇଲ୍ ବଜାର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଓଡ଼ିଶାରେ ପ୍ରତି ୧୦୦ ଜଣରୁ ୭୫ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ପହଂଚିଛି । ଆହୁରି ୨୫ ପ୍ରତିଶତ ଲୋକଙ୍କ ପାଖରେ ସଂଯୋଗ ପହଂଚାଇବାର ସୁଯୋଗ ରହିଥିଲେ ମଧ୍ୟ ଟେଲିକମ୍ କଂପାନିଗୁଡ଼ିକ ବିପୁଳ ପରିମାଣର ମୋବାଇଲ୍ ଗ୍ରାହକ ହରାଉଛନ୍ତି । ଗତ ମେ’ରେ ରାଜ୍ୟର ୮୮,୮୦୧ଟି ମୋବାଇଲ୍ ସଂଯୋଗ କଟିଯାଇଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାପଡ଼ିଛି । ଗତ ଏପ୍ରିଲ୍ରେ ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୧ ଲକ୍ଷ ୨୩ ହଜାର ୧୦୩ ଥିଲା । ମେ’ ସୁଦ୍ଧା ସେହି ସଂଖ୍ୟା ୮୮,୮୦୧ ହ୍ରାସ ପାଇ ୩ କୋଟି ୩୦ ଲକ୍ଷ ୩୪ ହଜାର ୩୦୨ରେ ପହଂଚି । ସରକାରୀ କଂପାନି ବିଏସ୍ଏନ୍ଏଲ୍ ଗତ ମେ’ରେ ୫୨,୩୨୯ ନୂଆ ଗ୍ରାହକ ଯୋଡିଥିବାରୁ ରାଜ୍ୟରେ କଂପାନିର ମୋବାଇଲ୍ ଗ୍ରାହକ ସଂଖ୍ୟା ୩୬ ଲକ୍ଷରୁ ଅଧିକ ହୋଇଯାଇଛି । ସେହି ସମୟରେ, ଭୋଡାଫୋନ୍ ଆଇତିଆର ଗ୍ରାହକ ସଂଖ୍ୟା ୧ ଲକ୍ଷ ୧୨ ହଜାର ୨୯୫ ହ୍ରାସ ପାଇ ୨୯ ଲକ୍ଷ ୭୧ ହଜାର ୨୭୨କୁ ଖସିଆସିଛି । ଭାରତୀ ଏୟାରଟେଲ୍ ୨ ଲକ୍ଷ ୧୬ ହଜାର ୧୮୦ ଜଣ ଗ୍ରାହକ ହରାଇଛି । ଓଡ଼ିଶାରେ ଏୟାରଟେଲ୍ ଗ୍ରାହକ ସଂଖ୍ୟା ୧ କୋଟି ୯୮ ଲକ୍ଷ ୭ ହଜାର ୩୦୭ରୁ ହ୍ରାସ ପାଇଛି । ରିଲାଏନ୍ସ ଜିଓ ଏହି ମାସରେ ସର୍ବାଧିକ ୧,୮୭,୩୪୫ ନୂଆ ଗ୍ରାହକ ଯୋଡିଛି । ତେଣୁ ଏହା ରାଜ୍ୟର ସବୁଠୁ ବଡ଼ ମୋବାଇଲ୍ କଂପାନି ଭାବେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିପାରିଛି । କଂପାନିର ମୋଟ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୭୪ ହଜାର ୯୩୨ରେ ପହଂଚିଛି ।