ବଗଲା ଜମି ମାମଲା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ଭୁବନେଶ୍ୱର: ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗକୁ ନେଇ ଓଡିଶାର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ପୁରୀ ଜିଲ୍ଲା କଂଗ୍ରେସ । ୧୯୦୫ ମସିହାରେ ସ୍ୱର୍ଗତଃ କହ୍ନେୟାଲାଲ ବଗଲା ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ହିତକୁ ଆଖି ଆଗରେ ରଖି ଧର୍ମଶାଳା ପାଇଁ ଦାନ ସୂତ୍ରରେ ଦେଇଥିବା ସଂପତିକୁ ଆଜି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଖଣ୍ଡ ଖଣ୍ଡ କରି ବ୍ୟକ୍ତି ବିଶେଷଙ୍କୁ ବିକିବା ଅବା ହସ୍ତାନ୍ତର କରିବା ଘଟଣାକୁ କଂଗ୍ରେସ ଅତ୍ୟନ୍ତ ଗୁରୁତର ସହ ନେଇଛି । ଏପରିକି ପୁରୀ ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ରାଜସ୍ୱ ଅଧିକାରୀ ଭାବରେ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି । ଏଣୁ ସମସ୍ତ ଆଇନ୍ କାନୁନ୍କୁ ଉଲ୍ଲଘଂନ କରି ସ୍ଥିତିବାନ ଜାଗାରେ ଥିବା ବଗଲା ଧର୍ମଶାଳାକୁ ଭାଙ୍ଗି ସରକାରଙ୍କ ରାଜସ୍ୱ ବିଭାଗକୁ ନେଇ ଖଣ୍ଡ ଖଣ୍ଡ କରି ବିକିବାକୁ ଆରମ୍ଭ କରିଛନ୍ତି । ଏହା ଆଇନତଃ ଧର୍ତବ୍ୟ ଅପରାଧ । ସଂପୃକ୍ତ ଜିଲ୍ଲାପାଳଙ୍କ ବିରୋଧରେ ଦୃତ କାର୍ଯ୍ୟାନୁଷ୍ଠାନ ଏବଂ ଯେଉଁ ଜମି ସରକାରଙ୍କ ନାମରେ ହୋଇଛି ତାକୁ ପୁନର୍ବାର ଯେଉଁ ଉଦ୍ଦେଶ୍ୟରେ ଦାତା ଦାନ କରିଥିଲେ ସେଥିପାଇଁ ଉପଯୋଗ କରାଯିବା ନେଇ ଆଜି ପୁରୀ ଜିଲ୍ଲା କଂଗ୍ରେସ ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଜ୍ୟପାଳ ତୁରନ୍ତ ଏହି ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ତଲବ କରିବା ସହିତ ଉଚିତ୍ ପଦକ୍ଷେପ ନେବାପାଇଁ କଂଗ୍ରେସ ସ୍ମାରକପତ୍ରରେ ବିଧିବଦ୍ଧ ଭାବେ ଉଲ୍ଲେଖ କରିଛି । ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ, ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ଜିଲ୍ଲା ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଏଆଇସିସି ସଭ୍ୟ ଜୟନାରାୟଣ ପଟ୍ଟନାୟକ, ପିସିସି ସଂପାଦକ ଲଲାଟେନ୍ଦୁ ଦାସ, ଅରପ୍ରସାଦ ମିଶ୍ର, ନିରନ ରଥ ପ୍ରମୁଖ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

thirteen + three =