କରୋନା ଆକ୍ରାନ୍ତଙ୍କୁ ଜେଇଇ (ମୁଖ୍ୟ) ପରୀକ୍ଷା ମନା

ବ୍ରହ୍ମପୁର: ଦେଶର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମ ଲେଖା ପାଇଁ ଜେଇଇ (ମୁଖ୍ୟ) ପରୀକ୍ଷାର୍ଥୀ ମାନଙ୍କ ପାଇଁ ସରକାର ସବୁପ୍ରକାରର ସୁବିଧା କରୁଥିବା ଦାବି କରୁଥିବା ବେଳେ ଆଜି ଜଣେ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କରୋନା ଆକ୍ରାନ୍ତ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ପରୀକ୍ଷାରେ ବସିବାକୁ ଅନୁମତି ଦେବାକୁ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ମନା କରିଦିଆଯିବାରୁ ସଂପୃକ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରମ୍ଭା ଅଞ୍ଚଳର ଜଣେ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ସୂର୍ଯ୍ୟବିହାର ସ୍ଥିତ ରୋଲାଣ୍ଡ ଇନ୍ଷ୍ଟିଚ୍ୟୁଟ ଅଫ ଟେକନଲୋଜୀରେ ପଡିଥିଲା । କିନ୍ତୁ ସେ କରୋନା ପଜିଟିଭ୍ ଥିବାରୁ ପ୍ରଶାସନ ସହଯୋଗରେ ଏକ ସ୍ୱତନ୍ତ୍ର ଆମ୍ଭୁଲାନ୍ସ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ପରୀକ୍ଷା ଦେବା ପାଇଁ ସେ ପିପିଇ କିଟ୍ ମଧ୍ୟ ପିନ୍ଧିଥିଲେ । କିନ୍ତୁ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ ପକ୍ଷରୁ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ଅନୁମତି ଦିଆଯାଇନଥିଲା । ଏପରିକି ତାଙ୍କୁ ଅନୁମତି ଦେବାକୁ ଖୋଦ ଜିଳ୍ଲାପାଳ ଫୋନ କରି ଅନୁରୋଧ କରିଥିଲେ ମଧ୍ୟ ତାହାକୁ ଆଗ୍ରାହ୍ୟ କରିଦିଆଯାଇଥିଲା । ସଂକ୍ରମିତ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଏନଟିଏ ପର୍ଯ୍ୟବେକ୍ଷକ ରତ୍ନାକର ମିଶ୍ର ଲିଖିତଭାବେ ଜଣାଇଛନ୍ତି । ତେବେ କରୋନା ପଜିଟିଭ୍ ପିଲାଙ୍କ ପାଇଁ ଏନଟିଏ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ ଏଥିରେ ଦର୍ଶାଇଛନ୍ତି ।ସୂଚନା ଯୋଗ୍ୟ ଯେ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମ ଲେଖା ପାଇଁ ଗତ ୧ତାରିଖ ଠାରୁ ଓଡିଶା ସମେତ ସମଗ୍ର ଦେଶରେ ନିଟ୍ ଓ ଜେଇଇ (ମୁଖ୍ୟ) ପରୀକ୍ଷା ଆରମ୍ଭ ହୋଇଛି । ୬ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟରେ କରୋନା ମହାମାରୀ ଓ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି ।

Leave A Reply

Your email address will not be published.

four × 2 =