କରୋନାରେ ଆଖି ବୁଜିଲେ ନିଷ୍ଠାପର ଅଧ୍ୟାପକ

ଯାଜପୁର: ରାଜ୍ୟର ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆଉ କିଏ ଅଛି ବୋଲି ଆମେ ଭାବି ପାରୁନୁ । ପ୍ରତିଟି ଦୁର୍ବିପାକର ମୁକାବିଲାରେ ନବୀନବାବୁ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ଜଣେ ସଫଳ ମୁରବୀ ଭାବେ ଏ ଜାତିକୁ ରକ୍ଷା କରିଛନ୍ତି । କରୋନା କ୍ଷେତ୍ରରେ ବି ଦୃଷ୍ଟାନ୍ତ ସାଜିଛନ୍ତି ଆମ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ସ୍କୁଲ, କଲେଜ ବନ୍ଦ ଘୋଷଣା କରିବା ପରେ ବି ଉଚ୍ଚଶିକ୍ଷା ବିଭାଗ କେଉଁ କାରଣରେ କଲେଜ ଖୋଲି ଅଧେ ଅଧ୍ୟାପକଙ୍କୁ କଲେଜ ଆସିବାକୁ କହୁଛନ୍ତି? କରୋନା ସମୟରେ ଅଧ୍ୟାପକ ମାନେ ପାଠ ପଢାଇବା ଦରକାର ନାଁ କଲେଜ ଆସିବା ଦରକାର, ତାହା ବୁଝା ପଡୁନି । କାରଣ ନିଜ ଘରେ ରହି ବି ସେହି ଅନଲାଇନ ମାଧ୍ୟମରେ ଅଧ୍ୟାପକ ମାନେ ପାଠ ପଢାଉଥିଲେ । ମହାମାରୀ କରୋନାରେ ବି ଅଧ୍ୟାପକ ମାନେ ଖାତାଦେଖା କାର୍ଯ୍ୟ ଠିକରେ କରିଛନ୍ତି । କିଏ ଘରେ ରହି କାର୍ଯ୍ୟ କରିବା ନେଇ ଆକ୍ରୋଶ ରଖିବାର ସମୟ ଏହା ନୁହେଁ । ସରକାର ଅଯଥା ଭିଡକୁ ବାରଣ କରୁଛନ୍ତି । ଏବେ ଅଧ୍ୟାପକ ମାନେ କଲେଜ ଆସି ଅଯଥାରେ ରାସ୍ତାରେ ଏବଂ କଲେଜରେ ଭିଡ କରୁଛନ୍ତି । ଏଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ହେଲେ ଉଚ୍ଚଶିକ୍ଷା ବିଭାଗ କିନ୍ତୁ ବୁଝିବାକୁ ନାରାଜ । ଆଜି ଗୋଟିଏ ଅଭାବନୀୟ ଘଟଣା ଘଟିଲା । ଯାଜପୁର ଜିଲ୍ଲାର ଛତିଆର ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ଅଧ୍ୟାପକ ସୁକାନ୍ତ କୁମାର ଜେନାଙ୍କ କରୋନାରେ ଅକାଳ ବିୟୋଗ ହେଲା । ଚିକିତ୍ସା ହେବାକୁ ଠିକଣା ସମୟରେ ସୁଯୋଗ ମିଳିଲା ନାହିଁ । ଗୋଟିଏ ମେଡିକାଲରୁ ଅନ୍ୟ ଗୋଟିଏ ମେଡିକାଲ ଯିବାରେ ସମୟ ଗଲା । ଛତିଆ କଲେଜରେ ଯାଜପୁର ଜିଲ୍ଲାର ବଡ ପ୍ରମୁଖ ସଙ୍ଗରୋଧ କେନ୍ଦ୍ର ହେବା ସହ ପ୍ରବାସୀଙ୍କ ପିକରଣ କେନ୍ଦ୍ର ହୋଇଥିଲା । କଲେଜକୁ ସଂପୂର୍ଣ୍ଣ ଠିକଣା ଭାବେ ସାନିଟାଇଜ ବି କରା ନଯାଇ ସେଠାରେ ସଙ୍ଗରୋଧ କେନ୍ଦ୍ର ଚାଲୁଥିବା ବେଳେ କଲେଜ ଖୋଲାଗଲା । ଏଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେଲା । ହେଲେ ଏଥିରେ ବି ଫଳ ଶୁନ । ନିଜର ପରୋପକାର ମାନସିକତା ଏବଂ ଅନୁଷ୍ଠାନ ପ୍ରୀତି ପାଇଁ ଏହି ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକ ମାନଙ୍କର ଯତ୍ନ ନେଉଥିଲେ ଅଧ୍ୟାପକ ସୁକାନ୍ତ ଜେନା । ଶେଷକୁ ଆଖି ବୁଜିଲେ ଏହି କଲେଜ ପାଇଁ ବଡ ଆସେଟ ସାଜିଥିବା ନିଷ୍ଠାପର ଅଧ୍ୟାପକ ସୁକାନ୍ତ ଜେନା । ସୁକାନ୍ତ ଥିଲେ ଏହି କଲେଜର କ୍ରାଇସିସ ମ୍ୟାନେଜର । କଲେଜର ସବୁ ସମସ୍ୟାକୁ ସମାଧାନରେ ସୁକାନ୍ତଙ୍କ ବିକଳ୍ପ ନାହିଁ । ସେ କେବଳ କଲେଜର ଏନ.ଏସ.ଏସର ଅଧିକାରୀ ନଥିଲେ ବରଂ ସେ ବାସ୍ତବରେ ଜଣେ ଭଲ ସକାରାତ୍ମକ ଚିନ୍ତାଧାରାର ପରୋପକାରୀ ମଣିଷ ଥିଲେ । ସୁକାନ୍ତଙ୍କ ଯୁବକ ବୟସରେ ଜୀବନ ଯିବା ପାଇଁ କିଏ ଉତରଦାୟୀ । କିଏ ଦେବ ତାଙ୍କ ଅସହାୟ ପରିବାରକୁ ସାହାରା । କାରଣ ନିଷ୍ପତି ନେଉଥିବା ବାବୁ ମାନଙ୍କ ପେନସନ ଥାଇପାରେ । ହେଲେ କୌଣସି ଭବିଷ୍ୟକାଳୀନ ସୁବିଧା ଏବଂ ପେନସନ ନଥିବା ଅଧ୍ୟାପକଟିଏ ଜୀବନ ହରାଇବା ପରେ କଣ ହୁଏ ତାର ପରିବାରର ଭବିଷ୍ୟତ? ତାଙ୍କ ସଂସ୍ପର୍ଶରେ ଆସିଥିବା ଶତାଧିକ କର୍ମଚାରୀ ଓ ଅଧ୍ୟାପକଙ୍କ ପରିବାର ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏ କଥା ପ୍ରଶାସନ ଚିନ୍ତା କଲାଣି କି ନାହିଁ ଜଣାନାହିଁ । ଅଯଥାରେ କରୋନାକୁ ଘରକୁ ଡାକି ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରା ନଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି

Leave A Reply

Your email address will not be published.

14 + six =