ପିପିଲି, ଡେଲାଙ୍ଗ ଓ କଣାସର ଦୁଃଖ କଂଟି

ଭୁବନେଶ୍ୱର: ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଂଚଳର ଦୁଃଖ ବଢିଯାଏ । ଦୟାନଦୀର ଭାରତୀପୁର, ଓ କଂଟି (ଏସକେପ୍)କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକର ଭାରତୀପୁର, କଂଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ ବ୍ଲକର ମଳିଗାଁ, ଚାଇଁପୁର, ଅରିଶଲ, ସୁଜନପୁର, କୋଠବାଡ଼, ମୁନିନ୍ଦା ଓ କଣାସ ବ୍ଲକର ତ୍ରିଲୋଚନପୁର, ସିରେଇ, କଣାସ, ବିଜିପୁର, ଖଣ୍ଡହତା, ଗଡ଼ିଶାଗୋଦା, ବିନ୍ଧଣ, ଆଳିବାଡ଼ ଆଦି ପଂଚାୟତର ଅନେକ ଗାଁ ପ୍ରଭାବିତ ହେବା ସହ ଚାଷ ଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପନିପରିବା ଓ ଧାନ ଫସଲ ଉଜୁଡ଼ି ଯାଇଛି । ଅନେକ ଲୋକ ବାସହରା ହୋଇପଡ଼ିଛନ୍ତି । ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇଛନ୍ତି । ତତକାଳୀନ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶକୁ ଜଦି ଜଳସମ୍ପଦ ଓ ଡ୍ରେନେଜ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିଥାନ୍ତେ ଓ ଉକ୍ତ କାଜ ଦୁଇଟିକୁ ବନ୍ଦ କରିଥାନ୍ତେ, ତାହେଲେ ଆଜି ୩ଟି ବ୍ଲକର ହଜାର ହଜାର ଜନସାଧାରଣ ବନ୍ୟା ଦୁର୍ଦ୍ଧଶା ଭୋଗିନଥାନ୍ତେ । ସୂଚନା ଅନୁସାରେ ୨୦୧୫ ମସିହା ଅଗଷ୍ଟ ୧୯ ତାରିଖ ଦିନ ତତକାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଉପଜିଲ୍ଲାପାଳ ମଧୁସୂଦନ ଦାଶ, ପିପିଲି ତହସିଲଦାର ଦେବଜାନୀ ଧଳ ଓ ପିପିଲି ବିଡ଼ିଓ କମଳଜିତ ଦାସ ଉକ୍ତ କଂଟି ଓ ଭାରତୀପୁର କାଜର ତଦାରଖ କରିବା ସହ ବନ୍ୟା ନିୟନ୍ତ୍ରଣ ପାଇଁ ଇଂରେଜ ଅମଳର ଉକ୍ତ କାଜ ଦୁଇଟି ବନ୍ଦ ହେବା ନିହାତି ଆବଶ୍ୟ ବୋଲି ଉପଲବଧି କରିଥିଲେ । ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଧିବାସୀମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ ଉକ୍ତ କାଜ ଦୁଇଟିକୁ ତୁରନ୍ତ ବନ୍ଦ କରିବା ପାଇଁ ତତକାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏକ ଜରୁରୀ ଚିଠି ସଂଖ୍ୟା.୨୬୭୭ ଅନୁସାରେ ୨୦୧୫ ଅଗଷ୍ଟ ୨୪ ତାରିଖରେ କଟକସ୍ଥିତ ଡ୍ରେନେଜ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅଧିକ୍ଷଣ ଯନ୍ତ୍ରୀ ଶୁଣିଲେନି । ତେବେ ଦୀର୍ଘ ୫ବର୍ଷ ବିତିଯାଇଥିଲେ ମଧ୍ୟ ତତକାଳୀନ ଜିଲ୍ଲାପାଳଙ୍କ ନିର୍ଦେଶକୁ ବିଭାଗ ବେଖାତିର କରିବାର ଫଳ ନିରୀହ ଲୋକେ ଭୋଗୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜିବୀମାନେ କହିବା କଥା । ଏନେଇ ଏଠାରେ ଏକ ବଡ଼ ଧରଣର ଆନେ୍ଦାଳନ ଏବେ ଦାନା ବାନ୍ଧୁଛି । ତେବେ ପୁରୀ ଜିଲ୍ଲାପାଳ, ବିଭାଗୀୟ ସଚ୍ଚିବ ତୁରନ୍ତ ଏହି କାଜ ଦୁଇଟିକୁ ବନ୍ଦ କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ବନ୍ୟା ବିପନ୍ନମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

eighteen + 10 =