ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ପରଲୋକ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର , ମଂଚ ଅଭିନେତା , ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ୍ ଜଣାଶୁଣା । ସେ ମଂଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି  ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ଅଜିତ ଦାସ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ ରେ ଜନ୍ମ ଗ୍ରହଣ କରିଥିଲେ । ଅଜିତ ଛୋଟବେବରୁ ହିଁ ନାଟକ ସହିତ ଜଡିତ ଥିଲେ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୁରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେକୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ‘ ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହା ପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତି ଟେଲିଭିଜନ ଓ ମଂଚନାଟକ ସହିତ ମଧ୍ୟ ଜଡିତ ଅଛନ୍ତି । ସେ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର ‘ ଅଜିତ’ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି । ‘ କେବେ ତମେ ନାହିଁ କେବେ ମୁଁ ନାହିଁ’ -୨୦୧୨ , ‘କୁଳ ଚନ୍ଦ୍ରମା’-୧୯୭୮, ‘ପୁନର୍ମିଳନ’-୧୯୭୭, ‘ଆହୁତି’-୧୯୭୭, ‘ସନ୍ଧ୍ୟା ତାରା’- ୧୯୭୭, ‘ସିନ୍ଦୂର ବିନ୍ଦୁ’-୧୯୭୬ ଆଦିରେ ଅଜିତ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ମୋହିଛି । ମଂଚ, ଚଳଚ୍ଚିତ୍ର ଓ ଟେଲିଭିଜନରେ ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

sixteen − ten =