ଖୋର୍ଦ୍ଧା ତାପଙ୍ଗ ହାତୀଆ ପାହାଡ଼କୁ ପର୍ଯ୍ୟଟକଙ୍କ ସୁଅ

ଖୋର୍ଦ୍ଧା: ଅଧାକଟା ପାହାଡ଼, ବିସ୍ତୀର୍ଣ୍ଣ ନୀଳ ଜଳରାଶି ଓ କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିର ଅପରୂପ ସୈାନ୍ଦର୍ଯ୍ୟ ବର୍ତ୍ତମାନ ହଜାର ହଜାର ପର୍ଯ୍ୟଟକମାନଙ୍କୁ ଟାଣି ଆଣିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ହାତୀଆ ପାହାଡ଼ ପରିବେଶକୁ । ଏହି ଅଞ୍ଚଳର ପାହାଡ଼ରୁ ପଥର ବେପାରୀମାନେ ଦିନରାତି ଡ଼ିନାମାଇଟ ଯୋଗେ ପଥର ଫଟାଇ କୋଟି କୋଟି ଟଙ୍କା ଉପାର୍ଜନ କରିଥିବାବେଳେ ସରକାରଙ୍କ ନିଲାମ ଓ ପ୍ରାୟ କ୍ରସରଗୁଡ଼ିକ ବନ୍ଦ ଫଳରେ ଏହା ଏବେ ପାଳଟିଛି ଏକ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳ । ଗଣମାଧ୍ୟମ ଓ ସମାଜିକ ଗଣମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର ଯୋଗୁ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନସ୍ଥାନରୁ ଏହି ମନୃଷ୍ୟକୃତ ମନଲୋଭା ସୈାନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାବେଳେ ମୁଖ୍ୟତଃ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଦିନକୁ ଦିନ ଏଠାରେ ସମାଗମ ବଢିବା ସହ ଅସାମାଜିକ ବ୍ୟକ୍ତିମାନଙ୍କର ଲୋଲୁପ ଦୃଷ୍ଟି ମଧ୍ୟ ବଢିବର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏହି ଅଞ୍ଚଳଟି ୧୬ନଂ ଜାତୀୟ ରାଜପଥରେ ଖୋର୍ଦ୍ଧାଠାରୁ ବାଲୁଗାଁ ଆଡ଼କୁ ୧୨କିଲୋମିଟର ତାପଙ୍ଗ ଛକ ଓ ସେଠାରୁ ବାମପଟକୁ ଆଗକୁ ୨କିଲୋମିଟର ଯାଇ ପୁନର୍ବାର ବାମକୁ ୧ କିଲୋମିଟର ଭିତରକୁ ଗଲେ ହାତୀଆ ପାହାଡ଼ର ଏହି ସୁନ୍ଦର ସ୍ଥାନଟି ପଡ଼ିବ । କେହି କେହି ଏହି ସ୍ଥାନକୁ ଜାତୀୟ ରାଜପଥରୁ ଦୁଇତିନିଟି ରାସ୍ତାରେ ଆସୁଥିବାବେଳେ ଉକ୍ତ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ଯାହାକି ଟିକେ କଷ୍ଟଦାୟକ । ଏହି ପାହାଡ଼ରୁ ପଥର ବେପାରୀମାନେ ଡ଼ିନାମାଇଟ ଲଗାଇ ପଥର ଫଟାଇ ଉପରୁ ପ୍ରାୟ ୫୦୦ଫୁଟରୁ ଅଧିକ ଖାଲ କରିଦେଇଥିବାରୁ ବର୍ଷା ଜଳ ରହି ଏକ ବିରାଟ ଜଳାଶ୍ରୟ ପାଲଟିଯାଇଛି । ଅଧାକଟା ପାହାଡ଼ ଓ ତାର ଚାରିପାଖରେ ସୁନ୍ଦର ନୀଳରଙ୍ଗର ଜଳ ରାଶି ପରିବେଶ ପର୍ଯ୍ୟଟକଙ୍କୁ ଯେତିକି ଆକୃଷ୍ଟ କରୁଛି ତାଠାରୁ ଅଧିକ ଆକୃଷ୍ଟ କରୁଛି ଗଦା ଗଦା କାଶତଣ୍ଡୀ ଫୁଲର ଗଛ । ବର୍ତ୍ତମାନ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଏଠାରେ ସେଲଫି ନେବାରେ ବ୍ୟସ୍ତ । ବହୁ ଟେଲି ଫିଲ୍ମ ଓ ଆଲବମ ସୁଟିଙ୍ଗ କରିବାକୁ ମଧ୍ୟ ପ୍ରଯୋଜକମାନେ ଏହି ସ୍ଥାନଟିକୁ ପସନ୍ଦ କରୁଛନ୍ତି । ପର୍ଯ୍ୟଟକମାନେ ଯେଉଁ ରାସ୍ତା ଦେଇ ପାହାଡ଼ର ନୀଳ ଜଳ ନିକଟକୁ ଯାଇ ସେଲଫି ନିଅନ୍ତି କିମ୍ବା ଉପଭୋଗ କରନ୍ତି ଉକ୍ତ ରାସ୍ତା ଅତ୍ୟନ୍ତ ବିପଦଜ୍ଜନକ । କାରଣ କେବଳ ଖାଲଖମା ପଥର ରାସ୍ତା ଯଦି ଥରେ ଗୋଡ଼ ଖସି ଯାଏ ତେବେ ସେମାନଙ୍କ ଜୀବନ ମୃତ୍ୟୁମୁଖକୁ ଠେଲି ହୋଇଯିବ । ତେଣୁ ପ୍ରଚାର ଓ ପ୍ରସାର ସହିତ ବାସ୍ତବ ସୈାନ୍ଦର୍ଯ୍ୟପୂର୍ଣ୍ଣ ଏହି ହାତୀଆ ପାହାଡ଼ ନିକଟକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ତୁରନ୍ତ ପୋଲିସ କର୍ମଚାରୀଙ୍କୁ ମୁତୟନ କରିବା ସହ ପାହାଡ଼ ମଧ୍ୟକୁ ଯାଇଥିବା ରାସ୍ତା ଓ ଉକ୍ତ ଅଞ୍ଚଳ ଚାରିପଟେ ଅସ୍ଥାୟୀ କିମ୍ବା ସ୍ଥାୟୀ ପ୍ରାଚୀର ନିର୍ମାଣ କରିବାକୁ ଦାବୀ ହେଉଛି । ନଚେତ କେତେବେଳେ ଯେ ଦୁର୍ଘଟଣା ଘଟିବ ତହା କିଛି କହିହେବ ନାହିଁ । ଏହି ସ୍ଥାନଟିକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ଦାବୀ ହେଉଥିବାବେଳେ ପଥର ବ୍ୟବସାୟୀମାନଙ୍କ ଚିନ୍ତା ବଢାଇଦେଇଥିବା ଶୁଣିବାକୁ ମିଳୁଛି । ସବୁକଥାକୁ ବିଚାର କରି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାପ୍ରଶାସନର ମିଳିତ ପରିଦର୍ଶନ କରି ଏହାର ତତ୍ୱାବଡଧାନ ନେଲେ ପର୍ଯ୍ୟଟକମାନେ ସୁରକ୍ଷିତ ଓ ନିରାପଦରେ ଏହାର ମଜ୍ଜା ଉଠାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏହି ସ୍ଥାନରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପଦ ଭ୍ରମଣ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯଦି ଏହି ସ୍ଥାନରେ ଭିଡ଼ ଜମିଲାଣି ତେବେ ସଦର ଥାନା ଆଇଆଇସିଙ୍କୁ ଅବଗତ କରାଯାଇ ସେଠାରେ ପୋଲିସ କର୍ମଚାରୀ ମୁତୟନ କରିବାର ବ୍ୟବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

4 − three =