ବାଲେଶ୍ୱର: କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତି କର୍ଣ୍ଣେଲ ବିଦ୍ୟାଧର ସିଂଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ସକାଳେ ଭୁବନେଶ୍ୱରସ୍ଥିତ ସୋମ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ୫ ଦିନ ପୂର୍ବରୁ ସେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଜ୍ୟୋତି ହସପିଟାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲେ ବି ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏକମାତ୍ର ପୁଅ ହର୍ଷବର୍ଦ୍ଧନ ସିଂ, ପତ୍ନୀ କନକଲତା ଦାସ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସେନାବାହିନୀରୁ ଅବସର ପରେ ସେ ରୋଟରୀ କ୍ଲବରେ ଯୋଗଦେଇ ଲୋକମାନଙ୍କର ସେବାରେ ନିଜକୁ ବ୍ରତୀ କରାଇଥିଲେ । ତାଙ୍କର ମୃତ୍ୟୁରେ ବାଲେଶ୍ୱର ରୋଟାରୀ କ୍ଲବର ସଦସ୍ୟମାନେ ଭର୍ଚୁଆଲ ଶୋକସଭାରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ସଭାପତି ଭାବଗ୍ରାହୀ ମହାନ୍ତି ଶୋକ ପ୍ରସ୍ତାବ ଆଗତ କରିବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ପରିବାରବର୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସଭ୍ୟମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପଦାରବିନ୍ଦ ମହାପାତ୍ର, ଆଶୀଷ ମହାପାତ୍ର, ସୌରଭ ବେହେରା, ଯଶୋଦାନନ୍ଦନ ଆଶ, ଆଶୀଷ ମହାପାତ୍ର, ସତ୍ୟନାରାୟଣ ନନ୍ଦ, ବିଷ୍ଣୁଦାସ କୁଣ୍ଡୁ, ଜୟନ୍ତ ବେହେରା, ସତୀଶ ଅଗ୍ରୱାଲ, ଦେବେନ୍ଦ୍ର କୁମାର ଧଳ, ଉପେନ୍ଦ୍ର ବେହେରା, ଭମି ଉଦୟ କୁମାର, ରାମଚନ୍ଦ୍ର ଓଝା, ବିକାଶ କର, ଲକ୍ଷ୍ମୀକାନ୍ତ ଦାସ, ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।