ଭୁବନେଶ୍ୱର: କରୋନା ସଂକ୍ରମଣ କମିନି । ଦେଶ ଓ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତା’ପରେ ବି ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଫେରିଥିବା ଅଧିକାଂଶ ପ୍ରବାସୀ ଟ୍ରେନ୍ ଯୋଗେ କର୍ମସ୍ଥଳୀକୁ ଫେରୁଛନ୍ତି । ଆଉ କିଛି କୋଭିଡ-୧୯ ସୁରକ୍ଷା ଓ ସମୟ ବଂଚାଇବା ଲାଗି ବିମାନ ଯାତ୍ରାକୁ ପ୍ରାଥମିକତା ଦେଉଛନ୍ତି । ଯେଉଁଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଗତି କରୁଛି । ଲକ୍ଡାଉନ୍ ଉପରେ ଦେଢ଼ ମାସ ଯାଏ ବିମାନ ସେବା ବନ୍ଦ ରହିଥିଲା । ମେ’ ମାସଠାରୁ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଚଳିତ ମାସ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ଲକ୍ଷାଧିକ ଯାତ୍ରୀ ଯାତ୍ରା କରିଛନ୍ତି । ବିମାନ ସଂଖ୍ୟା ବି ପ୍ରତି ମାସରେ ବଢ଼ୁଛି । ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ-୧୯ ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ବିମାନବନ୍ଦର କର୍ତୃପକ୍ଷ ଦୂଆ ବ୍ୟବସ୍ଥା ଆପଣାଉଛନ୍ତି । ବିମାନବନ୍ଦର କର୍ତୃପକ୍ଷଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମେ’ମାସରେ ୯୭ଟି ବିମାନ ଚଳାଚଳ କରିଥିଲା । ଅନ୍ଲକ୍-୧ ତଥା ଜୁନ୍ ମାସରେ ସ୍ଥିତି ସାମାଦ୍ୟ ସ୍ୱାଭାବିକ ହୋଇଥିଲା । କେବଳ ଜୁନ୍ ମାସରେ ୬୩୩ଟି ବିମାନ ଚଳାଚଳ କରିଥିବା ବେଳେ ଗୁଲାଇରେ ୬୬୫ ଓ ଅଗଷ୍ଟରେ ୮୩୭ଟି ବିମାନ ଚଳାଚଳ କରିଥିଲା । ସେପ୍ଟେମ୍ବରରେ ଏହି ସଂଖ୍ୟା ୯୦୦ ଟପିବ ବୋଲି କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । ଯାତ୍ରୀଙ୍କ ସଂଖ୍ୟାକୁ ହିସାବ କଲେ ଏପ୍ରିଲ୍ ମାସରେ ମାତ୍ର ୧୨୮ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ । ମେ’ମାସରେ ଯାତ୍ରୀଙ୍କ ସଂଖ୍ୟା ୯୭୨୧ରେ ପହଂଚିଥିବା ବେଳେ ଜୁନ୍ରେ ୫୮ ହଜାର ୯୫୩, ଜୁଲାଇରେ ୬୫ ହଜାର ୧୩୭ ଓ ଅଗଷ୍ଟ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୫ ହଜାର ୫୬୭ରେ ପହଂଚିଥିଲା । ସେପ୍ଟେମ୍ବର ପ୍ରଥମ ୧୯ ଦିନ ତଥା ଗତ ୧୯ ତାରିଖ ସୁଦ୍ଧା ୮୫ ହଜାର ୪୧୭ ଯାତ୍ରୀ ବିମାନରେ ଯାତ୍ରୀ କରିଥିଲେ । ୨୦ ତାରିଖ ଦିନ ୨୨ଟି ବିମାନ ଯିବା ଆସିବା କରିଥିଲା । ଏଥିରେ ୩୩୮୨ ଜଣ ଯାତ୍ରୀ ଉଡ଼ାଣ କରିଥିବା ବେଳେ ୨୧୬୦ ଜଣ ବିମାନବନ୍ଦରକୁ ଆସିଥିଲେ । ୨୧ ତାରିଖରେ ୨୬ଟି ଲେଖାଏଁ ବିମାନ ଉଡ଼ାଣ ଓ ଅବିରଣ କରିଥିଲେ । ୧୮୦୭ ଜଣ ଯାତ୍ରୀ ଆସିଥିବା ବେଳେ ୪୦୩୮ ଜଣ ବିମାନରେ ଯାତ୍ରା କରିଥିଲେ । ୨୨ ତାରିଖରେ ବିମାନବନ୍ଦରକୁ ୨୪ଟି ବିମାନ ଆସିଥିବା ବେଳେ ଏଠାରୁ ସମାନ ସଂଖ୍ୟକ ବିମାନ ଉଡ଼ାଣ ଭରିଥିଲା । ୧୫୧୧ ଜଣ ଯାତ୍ରୀ ଆସିଥିଲେ । ୩୪୦୬ ଜଣ ବିମାନରେ ଯାତ୍ରା କରିଥିଲେ । ୨୩ ତାରିଖରେ ବିମାନ ବନ୍ଦରକୁ ୨୭ଟି ବିମାନ ଆସିଥିବା ବେଳେ ସମାନ ସଂଖ୍ୟକ ବିମାନ ଉଡ଼ାଣ ଭରିଥିଲା । ୧୫୮୮ ଯାତ୍ରୀ ଆସିଥିବା ବେଳେ ୩୮୭୧ ଜଣ ଯାତ୍ରା କରିଥିଲେ । ଅର୍ଥାତ୍ ୨୩ ତାରିଖ ସୁଦ୍ଧା ବିଜୁ ପଟ୍ଟପାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ୧ ଲକ୍ଷ ୭ ହଜାର ୧୮୦ ଯାତ୍ରୀ ଯିବା ଆସିବା କହିଛନ୍ତି ।