ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ରାଜନୈତିକ ଦଳରୁ ବହୁ କର୍ମୀ ଆଜି ବିଜେପିରେ ଯୋଗ ଦେଇଥିଲେ । ବାଲେଶ୍ୱର ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ସଭାପତିତ୍ୱ ଓ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଂଜିତ୍ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳର ଅଙ୍ଗାରଗଡ଼ିଆ, ଗୁଡ଼ିପଦା, ଗୋଧିବସା ପ୍ରଭୃତି ଅଞ୍ଚଳରୁ ଅନ୍ୟାନ୍ୟ ଦଳର ଶତାଧିକ କର୍ମୀ ଆଜି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । କର୍ମକର୍ତ୍ତାମାନେ ନବାଗତଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ନୂତନ କର୍ମୀଙ୍କ ଆଗମନ ବିଜେପିର ସଂଗଠନଙ୍କୁ ଆହୁରି ସୁଦୃଢ଼ କରିବ ବୋଲି ଏହି ମିଶ୍ରଣ ପର୍ବରେ ଉପସ୍ଥିତ ବିଜେପି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ଦଳୀୟ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଥିବା ନୂତନ କର୍ମୀମାନେ କହିଥିଲେ । ଦଳର ନୀତି ଓ ଅନୁଶାସନ ମାନି କାର୍ଯ୍ୟ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ମୁକ୍ତିକାନ୍ତ ଦାସ, ଜେୃାତି ପ୍ରକାଶ ଦାସ, ଶେଖ୍ ୟୁନୁସ୍, ସଂଜୟ କୁମାର ଦେ, ଅନନ୍ତ କୁମାର ଦାସ, ନଟବର ପାତ୍ର, ପ୍ରସନ୍ନଜି୍ତ ପାତ୍ରଙ୍କ ସମେତ ଶତାଧିକ କର୍ମୀଙ୍କୁ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପୂର୍ବତନ ନଗର ସଭାପତି ପ୍ରଦୀପ ପତି, ଯୁବନେତା ପିଣ୍ଟୁ ପୋଦାର, ନିତୁନ୍ ସାହା ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ନବାଗତ କର୍ମୀଙ୍କୁ ସ୍ୱାଗତ ଜଣାଇଥିଲେ । ସୁବୋଧ ଚନ୍ଦ୍ର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।