ଶବଦାହ ପାଇଁ କାଠ ଅଭାବ

ଯୋଡା: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାର ବିଭିନ୍ନ ସମସ୍ୟା ମଧ୍ୟରୁ ଶବଦାହ ନିମନ୍ତେ କାଠ ଯୋଗାଡ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ପରିସୀମା ମଧ୍ୟରେ ଯୋଡା ସହର ଅବସ୍ଥିତ ଥିଲେ ମଧ୍ୟ ଦୀପ ତଳ ଅନ୍ଧାର ସଦୃଶ୍ୟ ଦୈବାତ କାହାର ମୃତ୍ୟୁ ହୋଇଗଲେ ଯୋଡା ଠାରୁ ୮ କିମି ଦୂର ବଡବିଲରେ ଥିବା ସରକାରୀ କାଠ ଡିପୋ ଉପରେ ନିର୍ଭର କରିବାକୁ ପଡିଥାଏ । ଖଣିଜ ଦ୍ରବ୍ୟ ପରିବହନ ସମୟରେ ଭାରୀଯାନ ଦ୍ୱାରା ଯୋଡାରୁ ବଡବିଲ ଯାଏଁ ରାସ୍ତା ଦିନ ଦିନ ଧରି ଜାମ୍ ରହୁଥିବାରୁ ସଠିକ୍ ସମୟରେ ଶବଦାହ ନିମନ୍ତେ ଆବଶ୍ୟକ କାଠ ପହଞ୍ଚି ନପାରିବାରୁ ଶବସତ୍କାରରେ ବହୁବିଳମ୍ବ ହେଉତବାର ନଜିର ଅଛି । ଏସବୁ ଦିଗରେ ସମାଧାନ ଆଣିବା ଲକ୍ଷ୍ୟରେ ଯୋଡା ଠାରେ କାର୍ଯ୍ୟରତ ସାମାଜିକ ଅନୁଷ୍ଟାନ ଯୋଡା ବିକାଶ ପରିଷଦ (ଜେବିପି) ନିଜ ଆଡୁ ତତ୍ପର ହୋଇ ଡିଏଫଓଙ୍କୁ ପତ୍ର କରିଥିବା ନେଇ ଖବର ହସ୍ତଗତ ହୋଇଛି ।
କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳରେ ଶବ ସତ୍କାର ନିମନ୍ତେ ଆବଶ୍ୟକ ହେଉଥିବା ଜାଳେଣୀ କାଠର ଅଭାବକୁ ଉପଲବ୍ଧି କରି ଯୋଡା ବିକାଶ ପରିଷଦ ପକ୍ଷରୁ କେନ୍ଦୁଝର ବନ ବିଭାଗ ଅଧିକାରୀ (ଡିଏଫଓ)ଙ୍କୁ ଯୋଡାଠାରେ ଏକ କାଠ ଡିପ୍ପୋ ଖୋଲିବାକୁ ଅନୁରୋଧ କରିଥିିବା ଜଣାପଡିଛି । ଯୋଡା ପୌରାଞ୍ଚଳ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୂଖ ଖଣିଜ କ୍ଷେତ୍ରରେ ଗଢି ଊଠିଥିବା ଏକ ଛୋଟ ସହର,ଯେଉଁଠି ବିଭିନ୍ନ ବର୍ଗର ୫୦ ହଜାରରୁ ଅଧିକ ଜନସଂଖ୍ୟା ବସବାସ କରି ରହିଆସୁଛନ୍ତି ।ସେମାନଙ୍କ ସାମାଜିକ ଜୀବନ ଧାରଣର ଉତ୍କର୍ଷତା ଏହି ପରିବେଷ୍ଟିତ ଥିବା ଖଣି ଓ ଜଙ୍ଗଲର ସନ୍ତୁଳନ ଉପରେ ନିର୍ଭର ହୋଇ ରହିଥିବାବେଳେ ଆଜି ମାତ୍ରାଧିକ ଖଣି ସମ୍ପ୍ରସାରଣ ଯୋଗୁଁ ଜଙ୍ଗଲ କ୍ରମଶ ଧ୍ୱଂସ ପାଇବାରେ ଲାଗିଛି । ଫଳରେ ଶବ ସତ୍କାର ପାଇଁ ଆବଶ୍ୟକ ଜାଳେଣୀ କାଠର ସମସ୍ୟା ଏକ ପ୍ରମୂଖ ସମସ୍ୟା ରୂପେ ସହରରେ ମୁଣ୍ଡ ଟେକିଛି । ସହର ମଧ୍ୟରେ ୨ନଂୱାର୍ଡ ଶସ୍ତ୍ରୀନଗର ଠାରେ ଅଛି ଏକମାତ୍ର ଶବ ଦାହ କେନ୍ଦ୍ର ଯେଉଁଠି ସବୁଦିନେ ସବୁ ସମୟରେ ଜାଳେଣୀ କାଠର ସମସ୍ୟା ଦେଖାଦେଇଥାଏ । ଶବ ଦାହ ପାଇଁ ଆବଶ୍ୟକ ହେଉଥବା କାଠ ବଡବିଲ ଓ ନାଲଦା ଫରେଷ୍ଟ ଡିପ୍ପୋ ଉପରେ ନିର୍ଭର କରାଯାଉଥିବା ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ୟା ପାଇଁ ଲୋକମାନେ ବହୁ ହନ୍ତ ସନ୍ତ ହେଉଥିବା ସ୍ଥାନୀୟ ଅଧିବାସୀଙ୍କ ଠାରୁ ଜାଣିବାକୁ ମିଳିଛି । ଏ କ୍ଷେତ୍ରରେ ଗରିବ ଶ୍ରେଣୀର ଲୋକ ମାନେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏ ସମସ୍ତ ସମସ୍ୟାକୁ ହୃଦୟଙ୍ଗମ କରି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ଚିଠି ମାଧ୍ୟମରେ ଯୋଡା ଠାରେ ଏକ କାଠ ଡିପ୍ପୋ ଖୋଲିବାକୁ ଜିଲ୍ଲା ବନବିଭାଗ ଅଧିକାରୀଙ୍କୁ ଅନୁରୋଧ କରିଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.

3 × five =