ଦିଲୀପ ରାୟ ଦୋଷୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୯୯ରେ ଝାଡଖଣ୍ଡ କୋଇଲା ବ୍ଲକ ଆବଂଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଆଜି ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୪ତାରିଖ ଦିନ ଅଦାଲତ ଦଣ୍ଡବିଧାନ ଘୋଷଣା କରିବେ । କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବାରେ ଶ୍ରୀ ରାୟ ହେଉଛନ୍ତି ପ୍ରଥମ କେନ୍ଦ୍ରମନ୍ତ୍ରୀ । ଆହୁରି ମଧ୍ୟ ଅଦାଲତ ଶ୍ରୀ ରାୟଙ୍କ ବ୍ୟତୀତ କୋଇଲା ମନ୍ତ୍ରଣାଳୟର ୨ଜଣ ଅଧିକାରୀ ଓ ୨ଟି କଂପାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ବ୍ରହ୍ମଡିହ କୋଲବ୍ଲକର ଆବଂଟନରେ ଅନିୟମିତତା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ସିବିଆଇ ବିଚାରପତି ଭାରତ ପରାଶର ଆଜି ରାୟ ଘୋଷଣା କରିଛନ୍ତି । ଦିର୍ଘ ୨୦ ବର୍ଷ ପରେ କୋଲବ୍ଲକ ଆବଂଟନ ଦୁର୍ନିତି ମାମଲାର ରାୟ ପ୍ରକାଶ ପାଇଛି ।
ପ୍ରକାଶ ଯୋଗ୍ୟ ଯେ, ୧୯୯୯ ମସିହାରେ ତତ୍କାଳିନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଶ୍ରୀ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଶ୍ରୀ ରାୟ ସେତେବେଳେ ବିଜେଡିର ସଦସ୍ୟଭାବେ ରାଜ୍ୟ ସଭାର ସଦସ୍ୟଥିଲେ । କ୍ରମାଗତ ୨ଥର ସେ ବାଜପେୟୀଙ୍କ ସରକାରରେ କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହି ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ସଂପର୍କରେ ସିବିଆଇ ତଦନ୍ତ କରୁଥିଲା । ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା (ପ୍ରକଳ୍ପ) ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିଦେ୍ର୍ଧଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆହୁରିମଧ୍ୟ କାଷ୍ଟନ ମାଇନିଙ୍ଗ୍ ଲିମିଟେଡ୍ (ସିଏମଏଲ)କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୪ ତାରିଖ ଦିନ ଅଦାଲତ ଦଣ୍ଡ ବିଧାନ ନେଇ ଶୁଣାଣୀ କରିବେ ।
ସୂଚନାଯୋଗ୍ୟ, ୧୯୯୯ରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଂଟନ କରାଯାଇଥିଲା । ଏହି ଆବଂଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା ୪୨୦ (ପ୍ରତାରଣା) ଏବଂ ଧାରା ୪୦୯ (ବିଶ୍ୱାସର ଅପରାଧିକ ଉଲ୍ଲଂଘନ)ରେ ଚାର୍ଜଫ୍ରେମ କରିଥିଲା ।

Leave A Reply

Your email address will not be published.

two × four =