ଯାଜପୁର: ପରିବେଶ ରକ୍ଷା କରିବାକୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବା ଆବଶ୍ୟକ ବୋଲି ସମସ୍ତଙ୍କୁ ସଚେତନ କରୁଛି ବନବିଭାଗ । ଏପରିକି ତତ୍କାଳୀନ ଜିଲ୍ଲାପାଳ ରଂଜନ ଦାସ ଜିଲ୍ଲାବାସୀଙ୍କୁ ଗୋଟିଏ ଲେଖାଁଏ ବୃକ୍ଷରୋପଣ କରିବାକୁ ନିବେଦନ କରିଥିଲେ । ମାତ୍ର ଯାଜପୁର ବିଦ୍ୟୁତ ବିଭାଗର ଚିନ୍ତାଧାରା ସମ୍ପୂର୍ଣ୍ଣ ବିପରୀତ ।ବିଦ୍ୟୁତକରଣ ନାମରେ ଚାଲିଛି ଅବାଧ ଗଛ କାଟିବାକୁ ଠିକା ସଂସ୍ଥାକୁ ଖୋଲା ସମର୍ଥନ । ଗୋଟିଏ କି ଦୁଇଟା ନୁହେଁ ରାସ୍ତା କଡରେ ଥିବା ୫୦୦ରୁ ଉଦ୍ଧ୍ୱର୍ ଛୋଟ ବଡ ଗଛ କଟା ସରିଲାଣି । ଜିଲ୍ଲା ବନବିଭାଗ କିମ୍ବା ଜିଲ୍ଲା ପ୍ରଶାସନର ଅନୁମତି ଅଛିକି ନାହିଁ ସନ୍ଦେହ ଘେରରେ । ପରିତାପର ବିଷୟ ସ୍ଥାନୀୟ ଲୋକେ ବିରୋଧ କଲେ ଦିଆଯାଉଛି ପୋଲିସ୍ କାର୍ଯ୍ୟନୁଷ୍ଠାନର ଧମକ୍ । ଦିନ ଦ୍ୱିପ୍ରହରରେ ଏପରି ଶତାଧିକ ଗଛ କାଟି ପରିବେଶକୁ କ୍ଷତି ପହଂଚାଯାଉଥିଲେ ମଧ୍ୟ ଜିଲ୍ଲା ବନ ବିଭାଗ ନିଦା ବିଷ୍ଣୁ ସାଜିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ ଖଣ୍ଡରା ଛକରୁ ଚିତାଳୋ ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ଇରିଗେସନ୍ ରାସ୍ତା ସମେତ ଯାଜପୁର-ବିଂଝାରପୁର ରାଜ୍ୟ ସଡ଼କ୍ ପଥ ଅର୍ନ୍ତଗତ ବାଲିପଦା ଓ ବିଜିପୁର ଛକ ମଧ୍ୟରେ । ଜୈନିକ ଠିକା ସଂସ୍ଥା ସ୍ୱୟଂ ଚାଳିତ ଗଛ କଟା ମେଶିନ୍ ଓ ଶ୍ରମିକଙ୍କ ମାଧ୍ୟମରେ ଏହି ଦୁଇ ପ୍ରମୁଖ ରାସ୍ତା ପାଶ୍ୱର୍ରେ ଲାଗିଥିବା ଶତାଧିକ ଛୋଟ ବଡ ଗଛ କାଟି ବିକ୍ରି କରିଚାଲିଛି । ଏ ସମ୍ବନ୍ଧରେ ସ୍ଥାନୀୟ ବାସିନ୍ଦା ପଚାରିବାରୁ ସେମାନଙ୍କୁ ପୁଲିସ୍ କେଶର ଧମକ୍ ଦିଆଯାଉଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି । ଗୋଟିଏ ପଟେ ପରିବେଶ ରକ୍ଷା କରିବାକୁ ବୃକ୍ଷରୋପଣ ପାଇଁ ସମସ୍ତେ ଆଗ୍ରହ କରିବାକୁ ସଚେତନତା ନାମରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏହି ଦୁଇ ପାଶ୍ୱର୍ରେ ଥିବା ବହୁ ନୂଆ ଓ ପୁରୁଣା ଗଛକୁ ଦିନ ଦ୍ୱିପ୍ରହରରେ କାଟି ସଫା କରାଯାଉଥିବା ସତ୍ୱେ ଜିଲ୍ଲା ବନ ବିଭାଗ ସମେତ ପ୍ରଶାସନ ଓ ପୁଲିସ୍ ଚୁପ୍ ବସିଛି । ସାଧାରଣ ଲୋକେ ନିଜ ମାଲିକାନା ସତ୍ୱରେ ଥିବା ଜାଗା ବାଡିରୁ ଗଛ କାଟିବାକୁ ହେଲେ ବନ ବିଭାଗର ଅନୁମତି ଆବଶ୍ୟକ ପଡୁଥିବା ବେଳେ ବିଦ୍ୟୁତକରଣ ନାମରେ ବେଆଇନ୍ ଭାବେ ହଜାର ହଜାର ଗଛ କଟା କାର୍ଯ୍ୟକୁ ଜିଲ୍ଳା ବନ ବିଭାଗ ଓ ପ୍ରଶାସନର ନିରବ ସମର୍ଥନକୁ ନେଇ ବୁଦ୍ଧିଜୀବି ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।