ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା , ଇସ୍ରୋ କରୁଛି ସାହାଯ୍ୟ

ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଞ୍ଜେଇ ଜବତ ହୋଇଛି। ଏ ନେଇ ମଙ୍ଗଳବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି। ଅପରପକ୍ଷେ ଗଞ୍ଜେଇ ଧରିବାରେ ଇସ୍ରୋ ସାହାଯ୍ୟ କରୁଥିବାରୁ ପୂର୍ବ ବର୍ଷ ତୁଳନାରେ ଏବେ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇପାରିଥିବା ଅଭୟ କହିଛନ୍ତି । ସୂଚନା ଅନୁଯାୟୀ, ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ହାରାହାରି ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଜବତ ହୋଇଛି। ଏପରି ସଫଳତା ପାଇଁ ୩ ଜିଲ୍ଲାର ଏସ୍‌ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି। ଗଞ୍ଜେଇ ପରି ନିଶା ଦ୍ରବ୍ୟ ଧରିବାରେ ଇସ୍ରୋ ବହୁ ମାତ୍ରାରେ ସାହାଯ୍ୟ କରୁଛି । କେଉଁଠି ଚାଷ ହେଉଛି ଇସ୍ରୋ ସାଟେଲାଇଟ୍ ସେ ସମ୍ପର୍କରେ ତଥ୍ୟ ଦେଉଛି। ଏହି ନିଶା ଦ୍ରବ୍ୟ ଚାଲାଣ କାରବାରକୁ ରୋକିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି।

Leave A Reply

Your email address will not be published.

3 × 5 =