ଭୁବନେଶ୍ୱର: କରୋନା ପାଇଁ ବହୁ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ବହୁ ଲୋକ ଏବେ ବେକାର ହୋଇ ଘରେ ବସିଛନ୍ତି । କେତେକଙ୍କର ଚାକିରି ଥିଲେ ବି ଦରମା ଅଧା ମିଳୁଛି । ବହୁ ଲୋକଙ୍କ ପାଖରେ ଚାକିରି ନାହିଁ କି ପକେଟ୍ରେ ଟଙ୍କା ନାହିଁ । ଠିକ୍ ଏହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି । ପେଟକୁ ଦାନା ଦେବାକୁ ବହୁ ଲୋକ ଦିନ ମଜୁରି ଖଟିଲେଣି । ତଥାପି ବି କାମ ମିଳୁନି । କ’ଣ କିଣିବେ, କଣ ଖାଇବେ, କେମିତି ଚଳିବେ, ଚିନ୍ତା ଏବେ ଲୋକଙ୍କୁ ଘାରିଲାଣି । ସରକାରୀ ଯୋଜନାରେ କିଛି ଗରିବ ଶ୍ରେଣୀର ଲୋକ ଚାଉଳ, ଗହମ ପାଇ ଯାଉଛନ୍ତି । ହେଲେ ଭାତ ରାନ୍ଧି ପଖାଳ ଖାଇଲେ ବି ସାଙ୍ଗରେ ଆଳୁ ଚକଟିବାକୁ ବି ଘରେ ଆଳୁ ନାହିଁ । ଆଳୁ ନଥିଲେ । ଲଙ୍କା, ଲେମ୍ବୁ ପାଣି କରି ଭାତ ଖାଇ ଦିଅନ୍ତେ । ହେଲେ ଲେମ୍ବୁ, ଲଙ୍କାର ଦାମ୍ ଏତେ ହୋଇଛି ଯେ ତାକୁ ବି ବଜାରରୁ କିଣିଲା ବେଳକୁ ବାଧୁଛି । ଯିଏ ସରକାରୀ ଯୋଜନାରେ ମିଳୁଥିବା ସୁଯୋଗରୁ ବାଦ୍ ପଡିଛନ୍ତି, ପାଖରେ ଚାକିରି ନାହିଁ, ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇଗଲାଣି । ଦରମା ପାଉଥିଲେ ବୋଲି ନିମ୍ନ ମଧ୍ୟବିତରେ ଗଣତି ହେଉଥିଲେ । ୬ମାସ ହେଲା ଚାକିରି ନାହିଁ କି ଦରମା ନାହିଁ । ସେ ନିମ୍ନ ମଧ୍ୟବିତ ଲୋକଟି ଏବେ ଗରିବ ଶ୍ରେଣୀଠୁ ବି ତଳଶ୍ରେଣୀରେ ପହଂଚିଲାଣି । କେଉଁଠୁ ଧାର ଉଧାର କରି କିଛି ଆଣିଲେ ବି କେତେ ଦିନ ସେଥିରେ ଚଳିଯିବ, ତାହା ନିଜେ ଆକଳନ କରିପାରୁନି । କାରଣ ମହାଙ୍ଗା ବଜାର ଏବେ ପେଟର ଭୋକକୁ କେବଳ ମାରିନି, ମୁଣ୍ଡରେ କ୍ଷୁଧାରେ ମରିବାର ଭୟ ପୂରାଇ ଦେଇଛି । ସରକାର ପୂରା ପଙ୍ଗୁ ପାଲଟି ଯାଇଛନ୍ତି । ବଜାର ବ୍ୟବସ୍ଥାକୁ ସୁଧାରିବା ବଦଳରେ ହାତ ଟେକି ବସି ଯାଇଥିବାରୁ ଲୋକ ଏବେ ହସ୍ତସନ୍ତ ହେଲେଣି । ହଠାତ୍ ବଜାରଦର ବଢ଼ିବା ଲୋକଙ୍କୁ କିଛି କିଣିକି ଖାଇବା ପୂର୍ବରୁ ୧୦ ଥର ଭାବିବାକୁ ବାଧ୍ୟ କରୁଛି । ମଧ୍ୟବିତ ଲୋକ ତ କେଉଁଦିନ ପଖାଳ ଖାଇବେ, କେଉଁଦିନ ଭାତ ସଙ୍ଗେ ଡାଲି ଖାଇବେ ତା’ର ମେନୁ କଲେଣି । ଆଳୁ କିଣିଲେ ତାକୁ ସିଝେଇକି ଖାଇବେ କି ଭାଜିକି ଖାଇବେ, ତାହା ବି ଭାବିବାକୁ ପଡ଼ୁଛି । ମହଙ୍ଗା ବଜାର ଏମିତି କଲବଲ କଲାଣି ଯେ ଲୋକ ହାଟ, ବଜାରକୁ ଗଲେ ୧୦ଟା ଦୋକାନରେ ମୂଲ ପଚାରୁଛନ୍ତି । କେଉଁଠି ଦୁଇ ଚାରି ଟଙ୍କା କମ୍ ମିଳିବ ତାହା ଖୋଜୁଛନ୍ତି । ସେପ୍ଟେମ୍ବର ମାସରେ ସାଧାରଣ ଲୋକଟିଏ କିଣୁଥିବା ହରଡ଼ ଡାଲି କେଜି ଥିଲା ୯୫ ଟଙ୍କା । ଆଜିକା ଦିନରେ ହରଡ଼ ଡାଲି କେଜି ୧୧୦ରୁ ୧୨୦ଟଙ୍କା ରିଫାଇନ୍ ଲିଟର ଥିଲା ୧୧୦ଟିଙ୍କା ଏବେ ୧୨୫ରୁ ୧୩୦ ଟଙ୍କା ସୋରିଷ ତେଲ ଥିଲା । ୧୧୫ରୁ ୧୨୫ ଟଙ୍କା ଏବେ ୧୪୦ରୁ ୧୫୫ ଟଙ୍କା ଯେଉଁ ଚାଉଳ କେଜି ୩୫ ଟଙ୍କା ଥିଲା ଏବେ ତାହା ୩୮ ଟଙ୍କା ଏମିତି କୌଣସି ସଉଦା ସାମଗ୍ରୀ ନାହିଁ, ଯାହାର ବଜାର ଦାମ୍ ଗତ ମାସକ ମଧ୍ୟରେ ବଢ଼ିନି । ଖାଲି ସଉଦା ଆଳୁ କେଜି ଆଜିକା ଦିନରେ ୩୫ ଟଙ୍କା, ପିଆଜ କେଜି କେଉଁଠି ୫୦ତ ଖେଉଁଠି ୫୬ଟଙ୍କା, ଧନିଆପତ୍ର ବିଡ଼ା ୨୦ଟଙ୍କା କମ୍ ନାହିଁ । ବାଇଗଣ, ପୋଟଳ, ଝୁଡଙ୍ଗ, କଲରା କେଜି ୬୦ରୁ କମ୍ ନାହିଁ । ଲଙ୍କା ୫୦ ଗ୍ରାମ୍କୁ ୧୦ ଟଙ୍କା । ଲେମ୍ବୁ ଦୁଇଟାକୁ ୧୦ଟଙ୍କା ବଜାର ଦର ଗତ ମାସକ ମଧ୍ୟରେ ଏମିତି ହୁ’ ହୁ’ ହୋଇ ବଢ଼ିଯାଇଛି ଯେ ଲୋକ କଣ ଖାଇବେ ଜାଣି ପାରୁନାହାନ୍ତି । ହଁ ଟମାଟୋ ଦର ୬୦ଟଙ୍କାରୁ କମି ୪୦ ଟଙ୍କାରେ ପହଂଚିଛି । ହେଲେ ଯାହାା ପାଖରେ ଆଳୁ କିଣିବାକୁ ଟଙ୍କା ନାହିଁ ସେ ଟମାଟୋ କିଣି କ’ଣ କରିବ । ଟମାଟୋ କେଜି ୪୦ ହେଉ କି ୬୦ ତାର କ’ଣ ଯାଏ ।