ଟ୍ରକ୍-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଲିକୁଦା: ସୋମବାର ଅପରାହ୍ଣ ୫ଟା ସମୟରେ ବାଲିକୁଦା ବ୍ଲକ ଅନନ୍ତପୁର ଫାଣ୍ଡି ଅଂଚଳରେ ଏକ ଦୂର୍ଘଟଣା ଘଟି ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ମେଡିକାଲକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତକ ଜଣକ ହେଉଛନ୍ତି ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳି ପଞ୍ଚାୟତ ଦଶବାଟିଆ ଗାଁର ସୂର୍ଯ୍ୟ ପରିଡ଼ାଙ୍କ ଏକ ମାତ୍ର ପୁଅ ଆଲୋକ ପରିଡ଼ା(୨୨) ହୋଇଥିବା ବେଳେ ଆହତ ଜଣକ ସେହି ଗାଁ ବ୍ରାହ୍ମଣ ସାହିର ବାପି ଶତପଥୀ (୩୦) ବୋଲି ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଆଲୋକ ଓ ବାପି କୌଣସି ଏକ କାମରେ ଓଡ଼ି ୦୨ ବିଏଫ୍ ୯୮୫୯ ନମ୍ବର ବିଶିଷ୍ଟ ଏକ ସ୍କୁଟି ଯୋଗେ ଏହି ଦଶବାଟିଆରୁ ନୂଆଗାଁ ଆଡେ ଆସିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡ଼ି ୦୨ବିଜି ୬୦୩୫ ନମ୍ବର ବିଶିଷ୍ଟ ଆଇଚର ଟ୍ରକ୍ ସହ ଏହି ରାସ୍ତା ପାଶ୍ୱର୍ରେ ନିର୍ମାଣଧୀନ ପାଣିଟାଙ୍କି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ । ମାତ୍ର ଆଲୋକର ଅବସ୍ଥା ସଂକଟାପନ୍ନ ହେବାରୁ ସ୍ଥାନୀୟ କେତେକ ଯୁବକ ତାଙ୍କୁ ଏକ କାର ଯୋଗେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ଅଧା ରାସ୍ତାରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଆଲୋକଙ୍କୁ ସେଥିରେ ଅଣାଯାଇ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଦିଆ ଯାଇଥିଲା । ମାତ୍ର ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିକୁଦା ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ଏ ନେଇ ବାଲିକୁଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

eighteen + nine =