ଲଣ୍ଡନ୍: ୟୁରୋପରେ ପୁଣି ଦ୍ରୁତ କୋଭିଡ ସଂକ୍ରମଣ ହେଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ‘ହୁ’ ୟୁରୋପରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି । ୟୁରୋପରେ ସଂକ୍ରମଣକୁ ‘ହୁ’ ରକେଟ୍ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛି । ୟୁରୋପରେ ‘ହୁ’ ମୁଖ୍ୟ ଡ.ହାନ୍ସ କ୍ଲୁଗ୍ କହିଛନ୍ତି, ଯଦି ସଂକ୍ରମର କମିବ ନାହିଁ ତେବେ ଆହୁରି ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ଭାଇରସ୍ ନିୟନ୍ତ୍ରଣ କରିବା ଦିଗରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାର ସାଲିସ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ଡ. କ୍ଲୁଗ୍ କହିଛନ୍ତି, ଅଧିକାଂଶ ସଂକ୍ରମଣ ଘରେ ହିଁ ବୃଦ୍ଧି ପାଉଛି । ସେ କହିଛନ୍ତି, ଯିଦି ୯୫ ପ୍ରତିଶତ ଲୋକ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତ୍ୱ ଅବଳମ୍ବନ କରିବେ ତେବେ ୟୁରୋପ୍ ଫେବ୍ରୁଆରି ସୁଦ୍ଧା ୨ ଲକ୍ଷ ୮୧ ହଜାର ମୃତୁ୍ୟକୁ ଏଡାଇ ଦେଇପାରେ । କିନ୍ତୁ ଭାଇରସ୍ ନିୟନ୍ତ୍ରଣ ଦିଗରେ ଯଦି କୌଣସି କଡ଼ା ପଦକ୍ଷେପ ଗ୍ରହଣ ନହୁଏ ତେବେ ଜାନୁଆରି ସୁଦ୍ଧା ମୃତୁ୍ୟ ୫ ଗୁଣ ବୃଦ୍ଧି ପାଇବ ବୋଲି ସେ କହିଉନ୍ତି । ସଂକ୍ରମଣ ବଢ଼ିବାପରେ ଫ୍ରାନ୍ସ କଡ଼ା ପଦକ୍ଷେପ ଗ୍ରହଣ କରିଛି । ପ୍ୟାରିସ୍ ଏବଂ ଅନ୍ୟ ୮ଟି ସହରରେ କର୍ଫ୍ୟୁ ଲାଗୁ ହୋଇଛି । ଜର୍ମାନୀ ଏବଂ ଆୟରଲାଣ୍ଡରେ ମଧ୍ୟ କଟକଣା କଡ଼ାକଡି ହୋଇଛି । ୬ ସପ୍ତାହ ପର୍ଯ୍ୟନ୍ତ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁ ଏଲ୍ ମାକ୍ରନ । ଜର୍ମାନିରେ ମଧ୍ୟ ଚାନ୍ସେଲର ଆଞ୍ଜେଲା ମର୍କେଲ୍ କଡ଼ା ପଦକ୍ଷେପ ଘୋଷଣା କରିଛନ୍ତି । ଜର୍ମାନିରେ ପୁଣି ନୂଆ ସଂକ୍ରମଣ ବୃଦ୍ଧି ପାଇଛି ।