ମିଳିଲାନି ଚାକିରି; ଏବେ ଗୋ-ସେବା

ନୀଳଗିରି: ପ୍ରାୟ ଛାତ୍ରଛାତ୍ରୀଙ୍କ ଇଛା ଥାଏ ଉଚ୍ଚ ଶିକ୍ଷା ଲାଭ କରି ଚାକିରି ଖଣ୍ଡେ କରିବାକୁ। ଆଉ କେଉଁଠି ଚାକିରି ପଛରେ ଦୌଡ଼ି ଶେଷରେ ଗରିବ ମେଧାବୀ ଛାତ୍ରମାନେ ଛୋଟମୋଟ ବେପାର ଆରମ୍ଭ କରୁଛନ୍ତି; କିନ୍ତୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଏମିତି ଏକ ଗାଁ ଅଛି; ଯେଉଁଠି ଜଣେ କି ଦୁଇ ଜଣ ନୁହଁ, ଏକାଧିକ ମେଧାବୀ ଛାତ୍ର ଗାଁ ପାଳି କରି ଗୋରୁ ଚରାଉଛନ୍ତି। ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ଗାଁ। ଉକ୍ତ ଗାଁର ମେଧାବୀ ଛାତ୍ର ବିକାଶ ରଞ୍ଜନ ବିଶ୍ୱାଳ (୨୩) ସମ୍ପ୍ରତି ଚାକିରି ପଛରେ ଦୌଡ଼ି ନିରାଶ ହେବା ପରେ ଗୋରୁ ଚରାଉଥିବା ପରିଲକ୍ଷିତ ହୋଇଛି। ୨୦୧୮ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବିଭିନ୍ନ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। କିନ୍ତୁ କୌଣସି ଆଡ଼େ ସଫଳତା ହାସଲ କରିନପାରି ଶେଷରେ ଗାଁରେ ଗୋରୁ ଚରାଉଛନ୍ତି। କେବଳ ବିକାଶ ନୁହନ୍ତି, ବରଂ ଉପରୋକ୍ତ ଅଞ୍ଚଳର ଲିଟୁ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ, ହେମନ୍ତ ମଢ଼େଇ, ଶତ୍ରୁଘ୍ନ ନାୟକ, ଦୀପକ ବାଗ, ଗଜେନ୍ଦ୍ର ନାୟକ, ଶଶଧର ପାଣିଆଡ଼ିଆ, ସୁଶାନ୍ତ ଖଣ୍ଡେଇ, ସୁରଥ ବିଶ୍ୱାଳ ପ୍ରମୁଖ ଏକାଧିକ ମେଧାବୀ ଛାତ୍ରଙ୍କ ପରିଚୟ ପାଲଟି ଯାଇଛି ଗୋରୁ ଚରାଳି। ଆରବନ୍ଧ ପଞ୍ଚାୟତର ଶିକ୍ଷା ହାର ୭୦ ପ୍ରତିଶତ। ପଞ୍ଚାୟତର ଜନସଂଖ୍ୟା ୮ ହଜାର ହୋଇଥିବା ବେଳେ ଉକ୍ତ ଗାଁର ଜନସଂଖ୍ୟା ୭ ଶହରୁ ଊଦ୍ଧ୍ୱର୍। ଗାଁର ଶତାଧିକ ଲୋକ ଗୋରୁ ରଖିଛନ୍ତି। ସକାଳ ହେଲେ ୫ ଶହରୁ ଊଦ୍ଧ୍ୱର୍ ଗୋରୁଙ୍କୁ ନିକଟସ୍ଥ ପଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ଚରାଇବାକୁ ବାହାରି ପଡ଼ନ୍ତି ଗାଁଲୋକ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗୋରୁ ଚରାଇବାକୁ ଏଠାରେ କେହି ପାରିଶ୍ରମିକ ନେଉ ନାହାନ୍ତି।
ଗୋରୁ ରଖିଥିବା ଲୋକେ ପ୍ରତିଦିନ ପାଳି କରି ୪ ଜଣ ଲେଖାଏଁ ଚରାଇବାକୁ ଯାଉଛନ୍ତି। ଏଥିରେ ଏହି ମେଧାବୀ ଛାତ୍ରମାନେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଡିପ୍ଲୋମା, ଡିଗ୍ରୀଧାରୀ ଅଛନ୍ତି ତ ଆଉ କିଏ ବିଜ୍ଞାନ ଓ କଳାରେ ସ୍ନାତକ ହାସଲ କରିଛନ୍ତି। ଚାଷ ଉକ୍ତ ପରିବାରର ମୁଖ୍ୟ କାର୍ଯ୍ୟ। ଏଣୁ ଏମାନେ ଗୋ-ସେବାକୁ ବେଶି ପ୍ରାଧାନ୍ୟ ଦେଉଥିବା କହିଛନ୍ତି। ସମ୍ପ୍ରତି ସମାଜରେ ବହୁ ଛାତ୍ରଛାତ୍ରୀ ଡିଗ୍ରୀ ହାସଲ କରିବା ପରେ ନିଜକୁ ଗୋରୁ ଚରାଳି ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଥିବା ବେଳେ ଏଠାରେ ଗୋରୁ ଚରାଉଥିବା ମେଧାବୀମାନେ କିନ୍ତୁ ଗୋସେବା କରି ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହୁଛନ୍ତି। ବାହାର ରାଜ୍ୟରେ ଯାଇ ଦାଦନ ଖଟିବା ଅପେକ୍ଷା ନିଜ ଘରେ ରହି କୃଷି ପ୍ରାଧାନ୍ୟ ଅଞ୍ଚଳକୁ ଆହୁରି ଆଗକୁ ନେବାରେ ସେମାନେ ମୁଣ୍ଡ ନୁଆଁଇ ନାହାଁନ୍ତି। ବରଂ ସେମାନଙ୍କ ଗୋ ସେବା ଆଗରେ ପାଠ ମୁଣ୍ଡ ନୁଆଁଇଛି। ସେପଟେ ଅଞ୍ଚଳରେ ବେକାରୀ ସମସ୍ୟା ମଧ୍ୟ ବଢ଼ି ଚାଲିଛି, ଚାକିରି ପାଇବା ପାଇଁ ବହୁ କସରତ କରିବାକୁ ପଡୁଛି। ଇଣ୍ଟରଭ୍ୟୁ ଦେବା ପରେ ବି ହାତଗୁଞ୍ଜା ନ ଦେଲେ ଚାକିରି ଖଣ୍ଡକ ମିଳିବା କାଠିକର ପାଠ। ଶିକ୍ଷାକୁ ନେଇ ସମ୍ପ୍ରତି ଉଠିଥିବା ଏହି ଜଟିଳ ସମସ୍ୟାର ଏକମାତ୍ର ସମାଧାନ ହେଉଛି ନିଜ କାମ ନିଜେ କରିବା। ତେବେ ଏକକାଳୀନ ପ୍ରତିଦିନ ୫ ଶହରୁ ଊଦ୍ଧ୍ୱର୍ ଗୋରୁ ଚରାଇ ଅର୍ଥାତ ଗାଁର ବହୁ ଅପାଠୁଆ ଲୋକଙ୍କ ସହ ମିଶି ଗୋରୁ ଚରାଇବା ସମାଜ ପାଇଁ ଏକ ନୂଆ ଉଦାହରଣ। ଏଥି ପାଇଁ ଅଞ୍ଚଳବାସୀ ଗର୍ବିତ ବୋଲି ମତ ପ୍ରକାଶ ପାଇଛି।
ମିଳିଲାନି ଚାକିରି…

Leave A Reply

Your email address will not be published.

seven − one =