ବାଲେଶ୍ୱରବାସୀଙ୍କ ପ୍ରତି ଉପେକ୍ଷାକୁ ନେଇ କ୍ଷୋଭ!

ବାଲେଶ୍ୱର: ବାଲେଶ୍ୱର ପ୍ରତି ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅବହେଳା ତଥା ଉପେକ୍ଷାକୁ ନେଇ ପ୍ରଚାରର ଶେଷଦିନରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଅୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବାଲେଶ୍ୱରବାସୀଙ୍କ ପ୍ରତି ରାଜ୍ୟ ସରକାର ତଥା ପ୍ରଶାସନର ଅବହେଳା ଚରମ ସୀମାରେ ପହଂଚିଥିବା ସେ ଆରୋପ ଉଠାଇଛନ୍ତି । ସ୍ୱଚ୍ଛତାର ପ୍ରତୀକ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କର ଏତେଦିନ ପରେ ବାଲେଶ୍ୱର କତା କେମିତି ମନେ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିମଳ, ପାନୀୟ ଜଳ, ଗମନାଗମନ, ଜଳସେଚନ ପ୍ରତିଟି କ୍ଷେତ୍ରରେ ବିପର୍ଯ୍ୟସ୍ଥ ଅବସ୍ଥା ଦେଖାଦେଇଥିବା ବେଳେ ଜିଲ୍ଲାର ସାଧାରଣ ଲୋକଙ୍କୁ ସାମାନ୍ୟତମ ମୌଳିକ ସେବା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ଆସିଥିବା ଅର୍ଥକୁ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତା ନାହିଁ । ଏନେଇ କୋଟି କୋଟି ଟଙ୍କା ପଡ଼ି ରହିଛି । ତେବେ ଅମୃତ ଯୋଜନାରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଶହ ଶହ କୋଟି ଟଙ୍କା ଖର୍ଚ୍ଚର ହିସାବ ଏବେ ମିଳୁନି । ଅନ୍ୟପକ୍ଷରେ ଦଳୀୟ କର୍ମୀ ତୁଷ୍ଟୀକରଣ ପାଇଁ ବିଭିନ୍ନ ସରକାରୀ ଯୋଜନାରେ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ ସହ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯିବାର କାରଣ କ’ଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ଏହା ସତ୍ୱେ ଦିବଂଗତ ବିଧାୟକଙ୍କ ନାମରେ ଶାସକଦଳ ନେତା-ମନ୍ତ୍ରୀଙ୍କ ଅମାନବୀୟ ମନ୍ତବ୍ୟ ବାଲେଶ୍ୱରବାସୀଙ୍କ ଆବେଗକୁ ତାଚ୍ଛଲ୍ୟ କରାଯାଇଛି । ଆସନ୍ତା ୩ ତାରିଖରେ ବାଲେଶ୍ୱରବାସୀ ନିଶ୍ଚିତ ଏହାର ଜବାବ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଧର୍ମର ଜୟ ବୋଲି କହିଥିଲେ । କଳାଟଙ୍କା ସାଙ୍ଗକୁ ଶାସକ ଦଳର ଭ୍ରଷ୍ଟ ରାଜନୀତି ଆଗରେ ଧର୍ମବଳ ହିଁ ବିଜେପି ପ୍ରାର୍ଥୀ ମାନସକୁ ବିଜୟର ଟିକା ପିନ୍ଧାଇବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five × three =