ଭୁବନେଶ୍ୱର: ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ କଲେଜର ଫି’ ଆଦାୟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ ସମୟରେ କେତେକ କଲେଜ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି । ହଷ୍ଟେଲରେ ରହୁ ନ ଥିଲେ ମଧ୍ୟ ଫି’ ଆଦାୟ ହେଉଛି । ଏମିତିକି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ କରୋନା ପାଇଁ ନାମଲେଖା ଫି’ କିଛି ମାତ୍ରାରେ ହ୍ରାସ କରୁଥିବା ବେଳେ ଏଠାରେ କିନ୍ତୁ ପୂର୍ବ ନିର୍ଦ୍ଧାରିତ ଫି’ ଆଦାୟ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଦିଗରେ ରାଜ୍ୟ ସରକାର ଧ୍ୟାନ ଦେବାକୁ ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁଯାୟୀ ଓୟୁଏଟି ଅଧୀନ ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପୂର୍ବ ସେମିଷ୍ଟରରେ ବିଭିନ୍ନ ଫି’ ଦେଇଛନ୍ତି । ମାତ୍ର କରୋନା ପାଇଁ କଲେଜର କୌଣସି କାର୍ଯକ୍ରମ ଆୟୋଜନ ହୋଇନି । ୮ମାସ ହେଲା ହଷ୍ଟେଲ ଚାଳୁନି । କଲେଜଗୁଡ଼ିକ ଏହି ସବୁ ବଳକା ଦେୟକୁ ପରବର୍ତୀ ସେମିଷ୍ଟରର ପଞ୍ଜୀକରଣ ସମୟରେ ବ୍ୟବହାର କରିବା ପରିବର୍ତେ ପୁନର୍ବାର ଅର୍ଥ ଆଦାୟ କରୁଛନ୍ତି । କରୋନା ବେଳେ ହଷ୍ଟେଲକୁ ବିଏମ୍ସି ପକ୍ଷରୁ ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା । ତେଣୁ ହଷ୍ଟେଲର ପାଣି,ବିଦ୍ୟୁତ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବିଏମ୍ସି ବହନ କରିବା କଥା । ଏଥିପାଇଁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିକଟରୁ ଅର୍ଥ ଆଦାୟ କରିବା ଯଥାର୍ଥ ନୁହେଁ । ଏଥିସହ ପୂର୍ବ ସେମିଷ୍ଟରରେ ମହାମାରୀ ସମୟରେ ଅନ୍ଲାଇନ୍ ମାଧ୍ୟମରେ ପାଠ ପଢ଼ାଯାଇ ଥିାରୁ ଲ୍ୟାବ୍ ବ୍ୟବହାର ହୋଇନି । ତେଣୁ କେଉଁ ଆଧାରରେ ଏତେ ଫି’ ଆଦାୟ କରୁଛନ୍ତି । କରୋନା ଯୋଗୁଁ ଅନେକ ପିଲାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ ଏତେ ପରିମାଣ ଅର୍ଥ ଯୋଗାଡ଼ କରିବା ସମ୍ଭବ ନୁହେଁ । ଏହି ସବୁ ସମସ୍ୟା ବିଷୟରେ ଓୟୁଏଟି କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ହଷ୍ଟେଲ ବନ୍ଦ ରହିଥିଲେ । ମଧ୍ୟ ଛାତ୍ରଛତ୍ରୀଙ୍କ ସାମଗ୍ରୀ ରହିଛି । ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ହଷ୍ଟେଲର ଲାଇଟ୍ ବି ଜଳୁଛି । ସେ ବାବଦ ଫି’ କିଭଳି ଭରଣା କରାଯିବ । ସଙ୍କରୋଧ କେନ୍ଦ୍ର ହୋଇଥିବା ନେଇ ଯେଉଁ କଥା କୁହାଯାଉଛି ସେନେଇ ପରବର୍ତୀ ସମୟରେ ଆଲୋଚନା କରାଯିବା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପୱନ ଅଗ୍ରୱାଲ୍ କହିଛନ୍ତି ଯେ ଦେଢ଼ ବର୍ଷ ହେଲା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି’ରେ କୌଣସି ବୃଦ୍ଧି ହୋଇନାହିଁ । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ଏଥର ବି ଫି’ ବୃଦ୍ଧି ହୋଇନି ।