ଚାଷୀଙ୍କ ପାଇଁ ସିଲ୍‌ ହେଲା ସୀମା, ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ

ଚଣ୍ଡିଗଡ଼: କଂଗ୍ରେସ ଶାସିତ ପଞ୍ଜାବର ଶତାଧିକ ଚାଷୀ ଦିଲ୍ଲୀକୁ ଶୋଭାଯାତ୍ରାରେ ଯିବା ପାଇଁ ହରିଆଣା ସୀମାନ୍ତରେ ଆଜି ଏକାଠି ହୋଇଛନ୍ତି। ବିଜେପି ଶାସିତ ହରିଆଣାରେ ପୁଲିସ୍‌ ସେମାନଙ୍କୁ ଅଟକାବାର ଆଶଙ୍କା ଥିବାରୁ ଏହା ବିରୋଧରେ ଲଢ଼େଇ କରିବାକୁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ହୋଇଛନ୍ତି। ଖାଲି ପଞ୍ଜାବ ନୁହେଁ, ଉତ୍ତର ପ୍ରଦେଶ, ହରିଆଣା, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳର ଚାଷୀମାନେ ଆଜି ଓ ଆସନ୍ତାକାଲି ଦିଲ୍ଲୀ ଯାଏ ଶୋଭାଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟରେ ନିଶ୍ଚିତ ଭାବେ ରାଜନୀତିକ ଓ ହଟଚମଟ ଦେଖାଯିବାର ଆଶଙ୍କା ମଧ୍ୟ ରହିଛି। ଚାଷୀଙ୍କୁ ଶୋଭାଯାତ୍ରାରୁ ବିରତ କରିବା ପାଇଁ ଏକାଧିକ ରାଜ୍ୟ ସରକାରମାନେ ସେମାନଙ୍କ ସୀମାକୁ ସିଲ କରିଛନ୍ତି। ଏଥସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିଜ ରାଜ୍ୟରେ କୌଣସି ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନାହାନ୍ତି। ବିଶାଳ ସଂଖ୍ୟାରେ ଚାଷୀ ଦିଲ୍ଲୀ ଆସିବାକୁ ଥିବାରୁ ଦିଲ୍ଲୀ ସୀମାକୁ ସିଲ କରିଦିଆଯାଇଛି। ଗୁରୁଗ୍ରାମ ଓ ଫରିଦାବାଦ ବର୍ଡରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ ମଧ୍ୟ କରାଯାଇଛି। ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ରାଜ୍ୟର ସୀମାକୁ ସିଲ କରାଯାଇଛି। ପଞ୍ଜାବକୁ ଲାଗିଥିବା ସୀମାରେ ବ୍ୟାରିକେଡ୍‌ ସହ ପାଣି ଟ୍ୟାଙ୍କର ଓ ଦଙ୍ଗାକୁ ପ୍ରତିହିତ କକରିବା ପାଇଁ ଗାଡ଼ି ମୁତୟନ କରାଯାଇଛି। ରାଜ୍ୟରେ କୌଣସି ପ୍ରକାରର ସମାବେଶ ମଧ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ହରିଆଣାରୁ ପଞ୍ଜାବକୁ ଯିବାକୁ ଓ ଆସିବାକୁ ଥିବା ବସ୍‌ ସେବାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି।

Leave A Reply

Your email address will not be published.

1 × 4 =