ହାଇକୋର୍ଟରେ କଙ୍ଗନାଙ୍କ ବଡ଼ ବିଜୟ, କ୍ଷତିପୂରଣ ଦେବ ବିଏମସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପାଲିହିଲ ସ୍ଥିତ ତାଙ୍କ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସ) ଯେଉଁ ଭଳି ଢଙ୍ଗରେ ଭାଙ୍ଗିଛି, ତାହା ବେଆଇନ ବୋଲି କୋର୍ଟ କହିଛନ୍ତି। ଏଥିସହ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏଥିପାଇଁ ବିଏମସିକୁ କ୍ଷତି ପୂରଣ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଜେ କଥୱାଲା ଓ ଜଷ୍ଟିସ ରିୟାଜ ଛଗଲାଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଫଟୋ ସବୁ ଦେଖିଛୁ। ପୂର୍ବରୁ ମଧ୍ୟ ସେଠାରେ ଏହି ଅଫିସ ଥିଲା। ଆମେ ଏଠି ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ କୋର୍ଟ ବେଆଇନ ନିର୍ମାଣକୁ କେବେ ହେଲେ ପ୍ରଶୟ ଦେଉନାହାନ୍ତି। ସେହିପରି ଆବେଦନକାରୀ ରାଜ୍ୟର ପରିବେଶକୁ ନେଇ ଦେଇଥିବା ବୟାନ ସହ ମଧ୍ୟ ଆମେ ଏକମତ ନାହୁଁ। ବରଂ ସେ ଏଭଳି ବୟାନର ଦୂରରେ ରୁହନ୍ତୁ ବୋଲି ଆମେ କହୁଛୁ। କିନ୍ତୁ ଆମ ପାଖରେ ଯେଉଁ ତଥ୍ୟ ରହିଛି, ସେଥିରୁ ଜଣାପଡ଼ୁଛି ଯେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅଫିସକୁ ଭଙ୍ଗା ଯାଇଛି। ଆଇନକୁ ଏଠାରେ ଆଦୌ ପାଳନ କରାଯାଇ ନାହିଁ। ଯେହେତୁ ଉଚ୍ଛେଦ ବେଆଇନ, ତେଣୁ ଆବେଦନକାରୀ ମଧ୍ୟ କ୍ଷତିପୂରଣ ପାଇବାକୁ ଯୋଗ୍ୟ। କୋର୍ଟ କ୍ଷୟକ୍ଷତିର ଆକଳନ ପାଇଁ ଗୋଟିଏ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ରିପୋର୍ଟ ଦେବ। ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୋର୍ଟ କହିଛନ୍ତି। ସେପ୍ଟେମ୍ବର ୯ରେ ବିଏମସି ପକ୍ଷରୁ ବାନ୍ଦ୍ରା ସ୍ଥିତ କଙ୍ଗାନଙ୍କ ଅଫିସକୁ ଭଙ୍ଗା ଯାଇଥିଲା। ଭଙ୍ଗା ଆରମ୍ଭ ହେବା କ୍ଷଣି କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ରୋକ ଲଗାଇଥିଲେ। ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଏମସି ଅଫିସର ୬୦ରୁ ୭୦% ଅଂଶ ଭାଙ୍ଗି ସାରିଥିଲା। ସେପ୍ଟେମ୍ବର ୧୫ରେ କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇ କ୍ଷୟକ୍ଷତି ବାବଦରେ ୨ କୋଟି ଟଙ୍କା ବିଏମସି ଠାରୁ ଆଦାୟ କରିବାକୁ କହିଥିଲେ।

Leave A Reply

Your email address will not be published.

18 − 17 =