ବିଜେଡ଼ି ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର; ଜନବିରୋଧୀ କାର୍ଯ୍ୟର ତାଲିକା ଜାରି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ ବିବୃତି ଜାରି ହୋଇଛି । ଏଥିରେ ପ୍ରଦୀପ, ତାଙ୍କର ଭାବି ଜ୍ବାଇଁଙ୍କ ବିଳାସପୂର୍ଣ ଜୀବନ ସମ୍ପର୍କରେ ବିଜେଡ଼ି ଅନେକ ତଥ୍ୟ ସାର୍ବଜନୀନ କରିଛି । ଦଳ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂଆଁ ବୁଲାଉଛନ୍ତି । ତାଙ୍କ ଭାବି ଜ୍ଵାଇଁ ଟାଟା କମ୍ପାନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ସିଏ ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରହନ୍ତି । ଯେତେବେଳେ କି ଟାଟା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ, ବହୁ ଯୁବକ ଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି । ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ଓଡ଼ିଶାବାସୀ ମୂର୍ଖ। ତା ନ ହୋଇଥିଲେ ଏପରି ହାଇପ୍ରୋଫାଇଲ୍ ଠକାମୀକୁ ଲୁଚାଇବାକୁ ଓଡ଼ିଶାବାସୀଙ୍କୁ ମନଗଢ଼ା କଥା କହି ଦିନରେ ଜହ୍ନ ଦେଖାନ୍ତେନି । ଏହା ଧୋକା ନୁହେଁ ତ ଆଉ କ’ଣ ବୋଲି ବିଜେଡ଼ି କହିଛି। ଏପରିକି ଗଞ୍ଜାମରେ କରୋନାସ୍ଥିତି ଭୟଙ୍କର ଥିବାବେଳେ ପ୍ରଦୀପଙ୍କ ବିଳାସ ସମ୍ପର୍କରେ ମଧ୍ୟ ବିଜେଡ଼ି ସୂଚନା ଦେଇଛି । ଏହି ପ୍ରେସ ବିବୃତିରେ କୁହାଯାଇଛି ଯେ ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ଥିଲା, ଲୋକମାନେ ମରୁଥିଲେ, କୋଭିଡ ଯୋଦ୍ଧାମାନେ ଦିନରାତି ସଂଘର୍ଷ କରୁଥିଲେ, ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ପରିବାର ସହ ଦିଲ୍ଲୀରେ ପଞ୍ଚତାରକା ହୋଟେଲରେ ଦିନକୁ ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇ ମଉଜ କରୁଥିଲେ । ପ୍ରଦୀପ ପାଣିଗ୍ରାହୀ ନିଜର ଅୟସ ପାଇଁ ଉଡ଼ାଉ ଥିବା ଟଙ୍କା କାହାର ଥିଲା? ଏତେ ଟଙ୍କା ସେ କେଉଁଠୁ ଆଣିଥିଲେ? ଏହି ବିବୃତିରେ କୁହାଯାଇଛି  ତିନି ତିନି ଥର ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ମିଳିତ ଭାବେ ୨୧ ବର୍ଷର ଯୁବକ ତଥା ନିଜ ପୁଅ ଓ ଭାବି ଜ୍ଵାଇଁକୁ ଟାଟା କମ୍ପାନୀର ନକଲି ପରିଚାଳନା ନିର୍ଦେଶକ ଭାବରେ ପ୍ରଦୀପ ଉପସ୍ଥାପିତ କରିଛନ୍ତି ଓ ବିଳାସପୂର୍ଣ ଜୀବନ ବିତାଇଛନ୍ତି । ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ବାର୍ଥ ପାଇଁ ଆରାମ ଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ କରିଛନ୍ତି । ଯାହା ଦ୍ଵାରା ଶଶୂର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ । ନିଜର ଭାବି ଜ୍ଵାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ପରିଚାଳନା ନିର୍ଦେଶକ ଭାବରେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାକିରିରେ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିଲେ ।ଏତେସବୁ ପରେ ବି ନିର୍ଲଜ ପରି ପ୍ରଦୀପ କହୁଛନ୍ତି, ଆକାଶ ଟାଟା କମ୍ପାନୀର ପ୍ରକୃତ ପରିଚାଳନା ନିର୍ଦେଶକ । ପ୍ରେସମିଟ୍ କରି ଲୋକଙ୍କୁ ଭ୍ରମିତ କରିବା ସହ ଚାକିରି ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ତାଙ୍କର ବିରୋଧରେ ନ ଯିବାକୁ ପରୋକ୍ଷରେ ପ୍ରଦୀପ ଧମକାଇଥିଲେ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ଓଡ଼ିଶାବାସୀଙ୍କ ପାଇଁ କାମ କରିବା ବିଜେଡି ଦଳର ଏକମାତ୍ର ଉଦ୍ଦେଶ୍ୟ । ପ୍ରଦୀପ ପାଣିଗ୍ରାହୀ ପରି ହୀନ ବ୍ୟକ୍ତି, ଯିଏ ନିଜର ସ୍ଵାର୍ଥ ପାଇଁ ଭାବି ଜ୍ଵାଇଁକୁ ବ୍ୟବହାର କରିପାରେ, ନିଜର ନିର୍ବାଚନ ମଣ୍ଡଳିବାସୀଙ୍କୁ ଧୋକା ଦେଇପାରେ ଏବଂ ଓଡ଼ିଶାବାସୀଙ୍କୁ ବେଧଡ଼କ ଭାବେ ମିଛ କହିପାରେ, ସେପରି ବ୍ୟକ୍ତିଙ୍କ ଦଳରେ ସ୍ଥାନ ନାହିଁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

four × 1 =