ରାୟଗଡ଼: ଏକାତ୍ମମତା ସ୍ତୋତ୍ରରେ ଲିଖିତ- ମହେନ୍ଦ୍ର ମଳୟ ସହ୍ୟ ଦେବାତ୍ମତା ହିମାଳୟ”। ଅର୍ଥାତ୍ ଏହି ପର୍ବତମାଳା ହିମାଳୟ ସହିତ ତୁଳନୀୟ। କାହିଁକିନା ମହେନ୍ଦ୍ରଗିରି ମହାଭରତ ଓ ରାମାୟଣ ଯୁଗରୁ ହିଁ ଦେବାଦେବୀଙ୍କ ଆଳୟ ଭାବେ ସୁଖ୍ୟାତି ଅର୍ଜନ କରି ଆସିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଂଚାୟତ ମଧ୍ୟରେ ରହିଛି ସପ୍ତପର୍ବତ ବେଷ୍ଟିତ ମହେନ୍ଦ୍ରଗିରି। ସପ୍ତନଦୀ ମଧ୍ୟରେ ପବିତ୍ର ମହେନ୍ଦ୍ରତନୟା ଏଥିରୁ ସୃଷ୍ଟି। ପ୍ରତିବର୍ଷ ଶିବରାତ୍ରିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ମହେନ୍ଦ୍ରଗିରିରେ।
ମହେନ୍ଦ୍ରଗିରି ପଦଦେଶରେ ରହିଛି ଧର୍ମରାଜ ଯୁଧିଷ୍ଠିର, ମାତା କୁନ୍ତୀଙ୍କ ମନ୍ଦିର। ଶିଖର ପାହାଡ଼ ମଧ୍ୟରେ ଅଛି ଗଦାଧାରୀ ଭୀମଙ୍କ ମନ୍ଦିର । ଏହି ମନ୍ଦିର ବହୁ ଟନ୍ ଓଜନର ପଥରରେ ତିଆରି। ସେହିଭଳି, ଅର୍ଜୁନ, ନକୁଳ ଓ ସହଦେବଙ୍କ ମନ୍ଦିର ପାହାଡ଼ ଗୁମ୍ଫାରେ ଶୋଭିତ। କୁନ୍ତୀ ମନ୍ଦିର ନିକଟରେ ପାହାଡ଼ ମଧ୍ୟରୁ କୁଳୁକୁଳୁ ନାଦରେ ପ୍ରବାହିତ ହୋଇ ଆସୁଛି ଏକ ଝରଣା, ଯାହାର ଦୃଶ୍ୟ ମନମୁୁଗ୍ଧକର। ମାତା କୁନ୍ତୀଙ୍କ ମନ୍ଦିର ନିକଟରେ ଏକ ବିରାଟ ଆମ୍ରବୃକ୍ଷ ଦଣ୍ଡାୟମାନ। ଏହା ସତୀଆମ୍ବ ନାମରେ ନାମିତ। ଏହି ବୃକ୍ଷ ବାରମାସ ଆମ୍ବରେ ଭରି ରହୁଥିବା ଦେଖିବାକୁ ମିଳେ। ସେହିଭଳି, ମହେନ୍ଦ୍ର ପଦଦେଶରେ ରହି ସକାଳାର ସୂର୍ଯ୍ୟ ଉଦୟ ଦୃଶ୍ୟ ବେଶ୍ ମନୋରମ।