ନୟାଗଡ: ନୟାଗଡ ଜିଲ୍ଲା ଯଦୁପୁରର କୁନି ଝିଅ ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି । ପରୀ ପୋଷାକରୁ ଏ ସମ୍ପର୍କରେ ପ୍ରମାଣ ମିଳିଛି । ପୋଷାକରେ ସିମେନ୍ର ଦାଗ ରହିଥିବା ସୂଚନା ମିଳିଛି । ବୁଧବାର କ୍ରଇମବ୍ରାଂଚ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହ ଉଲ୍ଲେଖ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟ ଉଲ୍ଲେଖ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମଧ୍ୟ ସୂଚନା ଆସିଛି । ଅଭିଯୁକ୍ତ ଏସଆଇଟି ଚିହ୍ନଟ କରିଥିବା ଏବଂ ଜଣକ ଯଦୁପୁର ଗ୍ରାମର ବୋଲି କୁହାଯାଇଛି । ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଏସଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ପରୀ ମୃତୁ୍ୟ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପା ଭିତରେ ସତ୍ୟପାଠ ଦାଖଲ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ମାମଲାରେ ପରବର୍ତୀ ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି. ଆର. ଷଡଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ରେ ‘ପରୀ’ ର ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା । ଏହା ପୂର୍ବରୁ ପରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା । କିନ୍ତୁ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା । ଏପରି କି ପରୀର ମୃତଦେହ ମିଳିବା ପରେ ପୁଲିସ ମାମଲାର ଅଭିଯୁକ୍ତମାନଙ୍କୁ ଧରିବାକୁ କୌଣସି ପଦକ୍ଷେପ ନେଇ ନ ଥିଲା । ନିକଟରେ ପରୀର ମା’ ବାପା ଭୁବନେଶ୍ୱର ଆସି ଆତ୍ମାହୁତି ଉଦ୍ୟମ କରିବା ପରେ ମାମଲା ଲୋକଲୋଚନକୁ ଆସିଥିଲା । ଏବେ ପରୀକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିବା ପରେ ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ପରୀ ହତ୍ୟା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହିତ ରୀକୁ ନ୍ୟାୟ ଦେବା ଲାଗି ବିଜେପି ପଦଯାତ୍ରା ଆରମ୍ଭ କରିଛି ।