ଦୁଇ ଗୋଷ୍ଠୀ ହାତାହାତି, ବୁଲିଲା ଖଣ୍ଡା


ସମ୍ବଲପୁର: ପୋଲିସ ପ୍ରତି ଅପରାଧୀମାନଙ୍କ ମନରେ ଭୟ ରହୁ ନଥିବାରୁ ଆଜିକାଲି ଗୋଷ୍ଠୀ ସଂଘର୍ଷ ନିୟମିତ ଘଟଣା ହୋଇ ପଡିଲାଣି । ଶନିବାର ସନ୍ଧ୍ୟାରେ ପୀର ବାବା ଛକରେ ଦୁଇଟି ଗୋଷ୍ଠୀ ମୁହାଁମୁହଁ ହୋଇଛନ୍ତି । ପ୍ରଥମେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ମାଡ଼ପିଟ ଓ ଶେଷରେ ଖଣ୍ଡା ଓ ଛୁରି ଚାଲିଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକଙ୍କ ତ୍ୱରିତ ହସ୍ତକ୍ଷେପ ଯୋଗୁ ଘଟଣା ଅଧିକ ଗୁରୁତର ରୂପ ନେଇ ପାରିନାହିଁ । ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ୭ ସମୟରେ ଦଲେଇପଡ଼ା ଭୈରୋ ଗଳି ଦେଇ ଏକ ଆକ୍ଟଭାରେ ଦୁଇ ଜଣ ଯୁବକ ଦ୍ରୁତଗତିରେ ଯାଉଥିଲା ବେଳେ ସେହି ଅଂଚଳର ଜଣେ ଯୁବକ ସେମାନଙ୍କୁ ସଂକୀର୍ଣ୍ଣ ଗଳିରେ ଦ୍ରୁତ ଗତିରେ ଗାଡିଚାଳନାକୁ ବିରୋଧ କରିଥିଲେ । ଫଳରେ ଦୁଇ ଯୁବକ ଗଳି ସମ୍ମୁଖ ଛକରେ ଗାଡ଼ି ଅଟକାଇ ତାଙ୍କୁ ଗାଳି ଦେଇ ଛୁରିରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ତେବେ ଯୁବକଜଣଙ୍କ ସେମାନଙ୍କ କବଳରୁ କୌଣସି ପ୍ରକାର ବର୍ତି ଯାଇଥିଲେ । ଲୋକେ ଆସିଯିବାରୁ ଦୁଇ ଯୁବକ ଗାଡ଼ି ଛାଡ଼ି ଦୌଡି ପଳାଇଥିଲେ । ଏହି ଘଟଣାକୁ ନେଇ ପଡ଼ାରେ ଉତେଜନା ପ୍ରକାଶ ପାଇଥିଲା । ଫେରାର ହୋଇଥିବା ଯୁବକମାନେ କିଛି ସମୟ ପରେ ସେମାନଙ୍କ ସାଙ୍ଗମାନଙ୍କୁ ଧରି ସେଠାକୁ ଫେରିଥିଲେ । ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହେବା ସହ ଛୁରା ଓ ଖଣ୍ଡା ବୁଲିଥିଲା । ଅଂଚଳବାସୀ ପୁଣି ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀଙ୍କୁ ଘେରିଯିବାରୁ ଦୁଇ ଯୁବକ ଓ ତାଙ୍କ ସାଙ୍ଗମାନେ ପୂର୍ବରୁ ଛାଡି ପଳାଇଥିବା ଆକ୍ଟଭା ଧରି ସେଠାରୁ ପଳାଇଥିଲେ ।
ଘଟଣା ସଂପର୍କରେ ପଚାରିବାକୁ ଟାଉନ ଥାନାଧିକାରୀଙ୍କୁ ଫୋନ୍ କରିବାରୁ ସେ ଫୋନ ଉଠାଇ ନଥିଲେ । କିନ୍ତୁ ପୋଲିସ ଘଟଣା ସ୍ଥଳକୁ ଯାଇ ଯାଂଚ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

Leave A Reply

Your email address will not be published.

seventeen + one =