ରାଜଧାନୀ: ୨୦୨୦ରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ବର୍ଷରେ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି । କମିସନରେଟ ପୋଲିସ ଗତ କିଛି ବର୍ଷ ତୁଳନାର ସର୍ବାଧିକ ଚୋରା ଗଞ୍ଜେଇ ଓ ବ୍ରାଉନ୍ସୁଗର ଜବତ କରିଥିବା ବେଳେ ଏସ୍ଟିଏଫ ମଧ୍ୟ ରେକର୍ଡ ପରିମାଣର ବ୍ରାଉନସୁଗର ଜବତ କରିଛି । ରାଜ୍ୟର ଅନ୍ୟ କୌଣସି ସ୍ଥାନ ତୁଳନାରେ ରାଜଧାନୀରେ ସବୁଠାରୁ ଅଧିକ ବ୍ରାଉନ୍ସୁଗର ଜବତ ହୋଇଛି । ତେଣୁ ରାଜଧାନୀ ଏକପ୍ରକାର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟି ଯାଇଛି । ଗତକାଲି କମିସନରେଟ ପୋଲିସର ଭୁବନେଶ୍ୱର ସହରାଂଚଳ ଜିଲ୍ଲା ବାର୍ଷିକ ଅପରାଧ ସମୀକ୍ଷା ସମୟରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି । ଚଳିତ ବର୍ଷ ରେକର୍ଡସଂଖ୍ୟକ ଗଞ୍ଜେଇ ଓ ବ୍ରାଉନ୍ସୁଗର ପୋଲିସ ଜବତ କରିଥିବା ବେଳେ ସେହି ଅନୁସାରେ ଅଧିକ ମାମଲା କିମ୍ବା ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଅଳ୍ପସଂଖ୍ୟକ ମାମଲା ରୁଜୁ ଏବଂ ଅପରାଧୀଙ୍କଠାରୁ ଅଧିକ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବାରୁ ରାଜଧାନୀରେ ନିଶା କାରବାର ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇଛି । ଖୁଚୁରା ବ୍ୟବସାୟୀଙ୍କ ତୁଳନାରେ ହୋଲ୍ସେଲର ବ୍ୟବସାୟୀଙ୍କ କାରବାର ବଢ଼ିଛି । ଚଳିତବର୍ଷ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ୬୪୭.୩୮୭ କେଜି ଚୋରା ଗଞ୍ଜେଇ ଏବଂ ୨ କିଲୋ ୭୩୧ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି । ଭୁବନେଶ୍ୱର ସହରାଂଚଳ ଜିଲ୍ଲାରେ ୯୪ଟି ମାମଲା ରୁଜୁ କରାଯାଇଛି । ଏସବୁ ମାମଲାରେ ୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବବର୍ଷଗୁଡ଼ିକରେ ପୋଲିସ ଯେଉଁ ପରିମାଣରେ ମାମଲା ରୁଜୁ କରିଛି ତା’ ଠାରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ୨୦୧୯ରେ ୧୩୦ଟି ମାମଲା ରୁଜୁ କରି ୨୨୬ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୨୪୧ କିଲୋ ଗଞ୍ଜେଇ ଏବଂ ୨ କିଲୋ ୩୩୭ ଗ୍ରାମ ବ୍ରାଉନ୍ସୁଗର ଜବତ କରିଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନିଶା ବ୍ୟବସାୟୀ ସେମାନଙ୍କର ଆଡ୍ଡା ଜମାଉଛନ୍ତି । ନିଶା କାରବାରରେ ବେକାର ଯୁବକ ଏବଂ ଛାତ୍ରଙ୍କୁ ସାମିଲ କରୁଛନ୍ତି । କରୋନା କଟକଣା ସମୟରେ ସହରର ଗଳିକନ୍ଦି ଏବଂ ବସ୍ତି ଅଂଚଳରେ ଅବାଧ ନିଶା କାରବାର ହେଉଥିଲା ।

Leave A Reply

Your email address will not be published.

seventeen + six =