ଭୁବନେଶ୍ୱର: ପୂର୍ବରୁ ନିଷ୍ପତି ହୋଇଥିବା ବିକାଶମୂଳକ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ହେଲେ ପୁଣି ନୂଆ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଛି । ଦୀର୍ଘ ବର୍ଷେ ପରେ ସର୍କିଟ ହାଉସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି (ଆର୍୍କେଏସ୍) କାର୍ଯ୍ୟକାରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଛି ।
ଏହି ଅବସରରେ କତୃପକ୍ଷ ହସ୍ପିଟାଲର ଉନ୍ନତୀକରଣ ପାଇଁ ବିବିଧ ପ୍ରସ୍ତାବ ରଖିଛନ୍ତି । ଯାହା ବୈଠକରେ ପାରିତ ହୋଇଥିବା ନିର୍ଦେଶକ ସୂଚନା ଦେଇଛନ୍ତି । ସବୁଠୁ ବଡ଼ ସମସ୍ୟା ମାନବସମ୍ବଳ ଥିବା ବେଳେ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇନଥିବା ଜଣାପଡିଛି । ନୂଆ ଯୋଜନା ଭିତରେ ମୁଖ୍ୟତଃ ଦୁଇଟି ପ୍ରସ୍ତାବ ରହିଛି । ପ୍ରଥମତଃ ହସ୍ପିଟାଲ ଭିତରେ ଥିବା ଫାଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ନିରାମୟ କେନ୍ଦ୍ର କଡକୁ ଫାଣ୍ଡି ରହିଥିବା ବେଳେ ନିକଟରେ ରହିଛି । ଆଶୁଚିକିତ୍ସା କେନ୍ଦ୍ର । ଜାଗା ଅଭାବ ଯୋଗୁଁ ସାଇକଲ ଷ୍ଟାଣ୍ଡ ନିକଟରେ ଦୁଇମହଲା କୋଠା କରାଯାଇ ଫାଣ୍ଡି ସ୍ଥାନାନ୍ତର କରାଯିବ ।
ଏନେଇ ଟଙ୍କା ମିଳିସାରିଥିବା ବେଳେ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ୧୫ଟି ନୂଆ କ୍ୟାବିନ ସହିତ ୭ଟି ଆକ୍ୱାଗାର୍ଡ ଲଗାଯିବା ବ୍ୟବସ୍ଥା କରାଯିବ । ଏହାସହିତ ମଡୁଲାର ଓଟି ପାଇଁ ପଦକ୍ଷେପ ନିଆଯିବ । ଟ୍ରମା ଏବଂ ଅକ୍ସଜେନ ପ୍ଲାଂଟ ପାଇଁ ପ୍ରସ୍ତାବିତ ଜାଗାରୁ ଜବରଦଖଲ ହଟାଯିବାକୁ ପିଷ୍ପତି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହସ୍ପିଟାଲ ଅଧୀକ୍ଷକ ଡା. ବିରଂଚି ନାରାୟଣ ବାରିକ, ଉପଅଧିକ୍ଷକ ଡା. ଧନଞ୍ଜୟ ଦାସଙ୍କ ସମେତ ହସ୍ପିଟାଲ ପରିଚାଳକ, ବହୁ ଅଧିକାରୀ ଉପସ୍ଥିତ ଥିଲେ ।