ଦୁବାଇରୁ ଭାରତ ସ୍ଥାନାନ୍ତରଣ ହେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ସୁଖ୍‌ ବିକ୍‌ରିୱାଲ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ପଞ୍ଜାବରେ ଟାର୍ଗେଟ କିଲିଂ କରାଉଥିବା ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ତଥା ଆତଙ୍କବାଦୀ ସୁଖ୍‌ ବିକ୍‌ରିୱାଲକୁ ଦୁବାଇରୁ ଭାରତ ସ୍ଥାନାନ୍ତରଣ କରାଯାଇଛି। ଭାରତୀୟ ସୁରକ୍ଷା ସଂସ୍ଥା ବିକ୍‌ରିୱାଲକୁ ଆଣି ଗୁରୁବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀ ସ୍ପେଶାଲ ସେଲ୍‌ ଟିମ୍‌ ତା’କୁ ଗିରଫ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଚଳିତମାସ ପ୍ରାରମ୍ଭରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ବିକ୍‌ରିୱାଲ ସାମ୍ନାକୁ ଆସିଥିଲା। ଦିଲ୍ଲୀ ପୁଲିସ ଗିରଫ କରିଥିବା ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପଞ୍ଜାବରେ ପୁଲିସ ଅଧିକାରୀ ବଲବିନ୍ଦର ସନ୍ଧୁଙ୍କୁ ହତ୍ୟା କରିଥିଲେ। ସନ୍ଧୁଙ୍କୁ ହତ୍ୟା କରିବା ଲାଗି ସୁଖ୍‌ ବିକ୍‌ରିୱାଲ ଦୁବାଇରୁ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କୁ ନିର୍ଦେଶ ଦେଇଥିବା ସେମାନେ ପଚରାଉଚରା ବେଳେ ସ୍ବୀକାର କରିଥିଲେ। ବିକ୍‌ରିୱାଲ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ସେମାନଙ୍କୁ ଏହି ଆଦେଶ ଦେଇଥିଲା। ଦୁବାଇରେ ରହୁଥିବା ସମୟରେ ବିକ୍‌ରିୱାଲ ନିଜର ବେଶ ବଦଳାଇ ଦେଇଥିଲା। ଦିଲ୍ଲୀରେ ଧରାପଡ଼ିଥିବା ଆତଙ୍କବାଦୀମାନେ ବିକ୍‌ରିୱାଲ ସମ୍ପର୍କରେ ସୂଚନା ଦେବା ପରେ ଦୁବାଇସ୍ଥିତ ବିକ୍‌ରିୱାଲର ଫ୍ଲାଟରେ ଚଢ଼ାଉ କରାଯାଇ ସେଠାରୁ ତା’କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.

2 + nine =